Odisha Link
Bridging the Missing Links in Odisha

ବଡ଼ଚଣା ନିର୍ବାଚନ ମଣ୍ଡଳି ବିଦ୍ୟୁତ ଭିତ୍ତିଭୂମି ସୁଦୃଢ଼ୀକରଣ ଉପରେ ଶକ୍ତିମନ୍ତ୍ରୀଙ୍କ ସମୀକ୍ଷା

ଭୁବନେଶ୍ୱର: ବଡ଼ଚଣା ନିର୍ବାଚନ ମଣ୍ଡଳି ଅଞ୍ଚଳର ବିଦ୍ୟୁତ ଭିତ୍ତିଭୂମିର ସୁଦୃଢ଼ୀକରଣ ଉପରେ ଏକ ସମୀକ୍ଷା ବୈଠକ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।

ବଡ଼ଚଣା ବିଧାୟକ ଅମର ଶତପଥୀ ସ୍ଥାନୀୟ ଅଞ୍ଚଳର ବିଦ୍ୟୁତ ସଂପର୍କିତ ବିଭିନ୍ନ ସମସ୍ୟା ସଂପର୍କରେ ମନ୍ତ୍ରୀଙ୍କ ଅବଗତ କରାଇଥିଲେ । ମନ୍ତ୍ରୀଙ୍କ ବିଧାନସଭା ପ୍ରକୋଷ୍ଠରେ ଅନୁଷ୍ଠିତ ବୈଠକରେ କୁନ୍ଦଳ ଗ୍ରାମ ପଞ୍ଚାୟତ, କାଇମାଟିଆ ଗ୍ରାମ ପଞ୍ଚାୟତ ଏବଂ ରାଜୀବ ଗାନ୍ଧୀ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଆସୁଥିବା ବିଦ୍ୟୁତ ବ୍ୟବସ୍ଥାର ପୁଙ୍ଖାନୁ ପୁଙ୍ଖ ସମୀକ୍ଷା ହୋଇଥିଲା ।

କୁନ୍ଦଳ ଅଞ୍ଚଳର ସବ୍‌ଷ୍ଟେସନ୍‌ କାର୍ଯ୍ୟ ୯୦ ପ୍ରତିଶତ ସମାପ୍ତ ହୋଇଥିବାବେଳେ ୩୩ କେଭି ଲାଇନ୍‌ କାର୍ଯ୍ୟ ୬୦ ପ୍ରତିଶତ ଶେଷ ହୋଇଛି । ଅବଶିଷ୍ଟ କାର୍ଯ୍ୟ ଏନ୍‌ଏଚ୍‌ଏଆଇ ଅନୁମୋଦନ ମିଳିନଥିବା କାରଣରୁ ଅଟକି ରହିଛି । ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଏହି ବିଷୟରେ ଏନ୍‌ଏଚ୍‌ଏଆଇ ଏବଂ ସେସୁର ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରି ଶୀଘ୍ର ସମସ୍ୟାର ସମାଧାନ କରିବାକୁ କହିଥିଲେ ।

ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ଏକ ମାସ ମଧ୍ୟରେ ସମସ୍ତ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ସେହି ପରି କାଇମାଟିଆ ଅଞ୍ଚଳର ସବ୍‌ଷ୍ଟେସନ୍‌ କାର୍ଯ୍ୟ ୯୦ ପ୍ରତିଶତ ଶେଷ ହୋଇଥିବାବେଳେ ୩୩/୧୧ କେଭି ଲାଇନ୍‌ କାର୍ଯ୍ୟ ପାଖା ପାଖି ୮୦ ପ୍ରତିଶତ ଶେଷ ହୋଇଛି ।

ଅବଶିଷ୍ଟ କାର୍ଯ୍ୟ ସ୍ଥାନୀୟ ସମସ୍ୟା ଏବଂ ଜମିଜମା କାରଣ ପାଇଁ ଅଟକି ରହିଥିବା ବରିଷ୍ଠ ଅଧିକାରୀମାନେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ଆବଶ୍ୟକ ସ୍ଥଳେ ପୋଲିସର ସହଯୋଗ ନେଇ ଏହି ସବୁ ସମସ୍ୟାକୁ ଡିସେମ୍ବର ୨୦୧୯ ସୁଦ୍ଧା ଶେଷ କରିବା ପାଇଁ ମନ୍ତ୍ରୀ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାଜୀବ ଗାନ୍ଧୀ ଗ୍ରାମ୍ୟ ଜ୍ୟୋତି ଯୋଜନାରେ ଥିବା ୧୬ କେଭିଏ, ୧୧/୦.୨୩ କେଭି, ୨୫ କେଭିଏ ଆଦି ତାର ଚୋରି ହୋଇଯାଇଥିବାରୁ ଏହାର ସମାଧାନ ଦିଗରେ ପଦକ୍ଷେ ପ ନେବା ପାଇଁ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଶକ୍ତି ବିଭାଗ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବୈଠକରେ ଶକ୍ତି ବିଭାଗର ସ୍ୱତନ୍ତ୍ର ସଚିବ ସଂଗ୍ରାମ ସ୍ୱାଇଁ, ଗୁପ୍ତା ପାଓ୍ୱାରର ଉପସଭାପତି ରୁଦ୍ର ନାରାୟଣ ମିଶ୍ର, ସେସୁର ସିଇଓ ଅରୁଣ ବୋଥ୍ରା, ସେସୁର ସିଜିଏମ୍‌ ସୁକାନ୍ତ ସ୍ୱାଇଁ, ଏନ୍‌ଏଚ୍‌ଏଆଇର ଆଞ୍ଚଳିକ ଅଧିକାରୀ ଆର୍‌.କେ. ପଣ୍ଡା, କଟକର ସୁପରିଟେଣ୍ଡେଣ୍ଟ ଇଂଜିନିୟର ଅମୀୟ କୁମାର ବିଶୋୟୀ, ବଡ଼ଚଣା ଏସ୍‌ଡିଓ ଶୈଳେଶ ରଞ୍ଜନ ପଟେଲ୍‌ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.