Odisha Link
Bridging the Missing Links in Odisha

ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମ କାର୍ଯ୍ୟାଳୟ ପରିଦର୍ଶନ କଲେ ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ

ଭୁବନେଶ୍ବର: ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଆଜି କଟକର ଖପୁରିଆସ୍ଥିତ ଓଡ଼ିଶା କ୍ଷୁଦ୍ରଶିଳ୍ପ ନିଗମର କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପରିଦର୍ଶନ ପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ରଙ୍କ ତତ୍ତ୍ୱାବଧାନରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା।

ବୈଠକରେ ନିଗମ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟବଳୀ ଯଥା ଟାଟା ଷ୍ଟିଲ୍‌ ରଡ୍‌ର ବ୍ୟବସାୟ, ବିଟ୍ୟୁମେନ୍ ( ପିଚୁ) ବିକ୍ରି, ଗ୍ରାମାଞ୍ଚଳ ବିଦ୍ୟୁତିକରଣ, ବିଭିନ୍ନ ଏମ୍‌ଏସ୍‌ଏମ୍‌ଇର ଉତ୍ପାଦ ବିକ୍ରୟ
ତଥା ବିଭିନ୍ନ ନିର୍ମାଣ କାର୍ଯ୍ୟର ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଥିଲେ। ନିଗମର ବିଭିନ୍ନ ସମସ୍ୟାଗୁଡ଼ିକ ଉପରେ ମଧ୍ୟ ଆଲୋକ ପାତ କରିଥିଲେ। ନିଗମର ସର୍ବାଙ୍ଗୀନ ଉନ୍ନତି ତଥା ନବୀକରଣ ଦିଗରେ ପଦକ୍ଷେପ ନିଆଯିବା ଉପରେ ମନ୍ତ୍ରୀ କ୍ୟାପ୍‌ଟେନ୍‌ ମିଶ୍ର ଗୁରୁତ୍ୱାରୋପ କରିଥିଲେ । କର୍ମଚାରୀମାନଙ୍କୁ ନିଷ୍ଠାର ସହ କାର୍ଯ୍ୟ କରିବା ପାଇଁ ଉପଦେଶ ଦେଇଥିଲେ।

ଏହି ସମୀକ୍ଷା ବୈଠକରେ ନିଗମର ଚେୟାରମ୍ୟାନ୍‌ ଚିନ୍ମୟ ସାହୁ, ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହାଣୀ ଏବଂ ସମସ୍ତ ଅଧିକାର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

Comments are closed.