Odisha Link
Bridging the Missing Links in Odisha

ମହାରାଷ୍ଟ୍ରରେ ବିଜେପିକୁ ଲାଗି ପାରେ ଆଉ ଏକ ଝଟକା, ପଙ୍କଜା ମୁଣ୍ଡେ..

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିକୁ ନିଜର ଫେସ୍‌ବୁକ ପୋଷ୍ଟ ଦ୍ବାରା ହଲଚଲ କରୁଥିବା ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ପଙ୍କଜା ମୁଣ୍ଡେ ଏବେ ଟୁଇଟର ଦ୍ବାରା ମହାରାଷ୍ଟ୍ର ରାଜନୀତିରେ ରେ ହଲଚଲ ସୃଷ୍ଟି କରିଛନ୍ତି। ପଙ୍କଜା ନିଜ ଟୁୁଇଟର ପେଜରୁ ନିଜର ପାର୍ଟିର ନାମ ହଟାଇ ଦେଇଛନ୍ତି। ଯାହା ଏବେ ମହାରାଷ୍ଟ୍ର ରାଜନୀତିରେ ଚର୍ଚ୍ଚାର ବିଷୟ। ବିଜେପି ଛାଡିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା ତାହା ଏବେ ଜୋରଦାର ଚର୍ଚ୍ଚା ହେଉଛି। ଏପରିକି ଯଦି ପଙ୍କଜା ଦଳ ଛାଡ଼ିବେ ତାହେଲେ କେଉଁ ଦଳକୁ ଯିବେ ସେ ନେଇ ମଧ୍ୟ ଆରମ୍ଭ ହୋଇଛି ଚର୍ଚ୍ଚା।

ପଙ୍କଜାଙ୍କ ବାପା ଗୋପୀନାଥ ମୁଣ୍ଡେ ମହାରାଷ୍ଟ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଥିଲେ। ଶିବସେନା ସହ ବିଜେପିର ମେଣ୍ଟ ପଛରେ ଗୋପୀନୀଥଙ୍କର ଏକ ପ୍ରମୁଖ ଭୂମିକା ଥିଲା। ମୁଣ୍ଡେ ପରିବାର ଓ ଠାକରେ ପରିବାରର ଦୋସ୍ତି ମଧ୍ୟ ପୁରୁଣା। ତେଣୁ ଏବେ ପଙ୍କଜା ଶିବସେନାକୁ ଯାଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ପଙ୍କଜା ବିଧାନସଭା ନିର୍ବାଚନରେ ତାଙ୍କ କକା ପୁଅ ଭାଇ ଧନଞ୍ଜୟ ମୁଣ୍ଡେଙ୍କ ପାଖରୁ ହାରିଛନ୍ତି। ସେ ଏନସିପିରେ ଥିବାରୁ ପଙ୍କଜା ଶିବସେନାକୁ ଯିବେ ବୋଲି ଚର୍ଚ୍ଚା ହେଉଛି।

ନିର୍ବାଚନ ପରେ ବିଜେପି ଫଡନାବିସଙ୍କ ନେତୃତ୍ୱରେ ଏନସିପି ବିଧାୟକ ଅଜିତ ପାଓ୍ୱାରଙ୍କ ସମର୍ଥନରେ ଏଠି ସରକାର ଗଢ଼ିଥିଲା। ଏହି ଅଳ୍ପ ଦିନର ସରକାର ଗଢିବା ପଛରେ ଅଜିତ ଓ ଫଡନାବିସଙ୍କ ମଧ୍ୟରେ ଯୋଗସୂତ୍ର ସାଜିଥିଲେ ଧନଞ୍ଜୟ। ଯାହାକୁ ବୋଧହୁଏ ସହଜରେ ଗ୍ରହଣ କରିପାରି ନାହାନ୍ତି ପଙ୍କଜା ମୁଣ୍ଡେ।

ସେହିପରି ପଙ୍କଜା ଫେସବୁକରେ ଲେଖିଛନ୍ତି, ୧୨ ଡିସେମ୍ୱର ବାପାଙ୍କର ଜନ୍ମଦିନ। ଏହି ଅବସରରେ ସମର୍ଥକଙ୍କୁ ଡାକିଛି। ସମର୍ଥକଙ୍କ ସହ ଆଲୋଚନା ପରେ ବଡ଼ ନିଷ୍ପତ୍ତି ନେବେ ବୋଲି କହିଛନ୍ତି। ହେଲେ ବିଜେପି ନେତା ପଙ୍କଜାଙ୍କ ବାବଦରେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି।

Comments are closed.