ରାଜ୍ୟସ୍ତରୀୟ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳିତ, ୮ ଦିବ୍ୟାଙ୍ଗଙ୍କୁ ପୁରସ୍କୃତ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର: ଆଜି ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ଉପଲକ୍ଷେ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ବିଶାଳ ସମାବେଶରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭାଗ ପକ୍ଷରୁ ପ୍ରସ୍ତୁତ ଏକ ଓ୍ବେବ୍ ପାର୍ଟାଲ୍ ଓ ମୋବାଇଲ୍ ଆପ୍ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପ୍ରକଟ କରିଥିବା ୮ ଜଣ ବ୍ୟକ୍ତିତ୍ୱଙ୍କୁ ପୁରସ୍କୃତ କରିଥିଲେ। ଏହା ବ୍ୟତୀତ ତାତ୍ପର୍ଯ୍ୟ ପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ସମ୍ବଲପୁର ଜିଲ୍ଲାକୁ ପୁରସ୍କୃତ କରାଯାଇଥିଲା।
କାର୍ଯ୍ୟକ୍ରମରେ ଯୋଗଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଲେ ଯେ ବର୍ତ୍ତମାନ ରାଜ୍ୟରେ ୯ଟି ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର କାର୍ଯ୍ୟକାୀ କରୁଛି। ଆଉ କେତେକ ଜିଲ୍ଲାରେ ମଧ୍ୟ ଖୁବ୍ ଶୀଘ୍ର ପୁନର୍ବାସ କେନ୍ଦ୍ର ପ୍ରତିଷ୍ଠିତ ହେବାକୁ ଯାଉଛି । ବିଭାଗ ପକ୍ଷରୁ ୨.୪୨ ଲକ୍ଷରୁ ଉର୍ଦ୍ଧ୍ବ ଭିନ୍ନକ୍ଷମଙ୍କୁ ଚିହ୍ନଟ ପତ୍ର ଦିଆଯାଇଛି ଏବଂ ରାଜ୍ୟରେ ପ୍ରାୟ ୪୮ ଲକ୍ଷରୁ ଊର୍ଦ୍ଧ୍ବ ଅଧିକାରୀ ସାମାଜିକ ସୁରକ୍ଷା ଯୋଜନାରେ ବିଭିନ୍ନ ଭତ୍ତା ପାଉଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ କ୍ଷେତ୍ରରେ ଓଡ଼ିଶାର ପ୍ରଦର୍ଶନ ଜାତୀୟ ସ୍ତରରେ ପ୍ରଶଂସିତ ହୋଇଛି। ବିଭାଗୀୟ କମିଶନର ତଥା ଶାସନ ସଚିବ ଭାସ୍କର ଶର୍ମା ସ୍ୱାଗତ ଭାଷଣ ଓ ପ୍ରାରମ୍ଭିକ ସୂଚନା ପ୍ରଦାନ କ୍ରମେ ଆନ୍ତର୍ଜାତିକ ଭିନ୍ନକ୍ଷମ ଦିବସ ପାଳନର ଉଦ୍ଦେଶ୍ୟ ଏବଂ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଉପରେ ଆଲୋକ ପାତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଭିନ୍ନକ୍ଷମ ଆୟୋଗର ଅଧ୍ୟକ୍ଷା ସୁଲୋଚନା ଦାସ, ବିଧାୟକ ଅନନ୍ତ ନାରାୟଣ ଜେନା, ବିଧାୟମ ସୁଶାନ୍ତ ରାଉତ ଓ ଆଇସିଆଇସିଆଇ ବ୍ୟାଙ୍କର ଜୋନାଲ୍ ମୁଖ୍ୟ ପ୍ରଦୋଷ ରାଉତ ମଧ୍ୟ ମଞ୍ଚାସୀନ ଥିଲେ। ବିଭାଗର ନିର୍ଦ୍ଦେଶିକା ବ୍ରତତୀ ହରିଚନ୍ଦନ ଶେଷରେ ସମସ୍ତଙ୍କୁ ଧନ୍ୟବା ଅର୍ପଣ କରିଥିଲେ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ପୁରସ୍କୃତ ହୋଇଥିବା ବ୍ୟକ୍ତିତ୍ୱମାନେ ହେଲେ ରବି ଶବର (ନୂଆପଡ଼ା), ଗଜଲକ୍ଷ୍ମୀ ରାୟ ( ପୁରୀ), ମଦନ ମୋହନ ଚୌଧୁରୀ (ଭଦ୍ରକ), ସୁରେଶ ଚନ୍ଦ୍ର ବେହେରା (ଖୋର୍ଦ୍ଧା), ରାଖାଲ କୁମାର ସେଠୀ (ଭଦ୍ରକ), ଅନୁକ୍ଷା ଆଚାର୍ଯ୍ୟ (ଖୋର୍ଦ୍ଧା), ଅମରେନ୍ଦ୍ର ନାଥ (ରାୟଗଡ଼ା) ଓ ଦେବାଶିଷ ସେନ ପତି (ଖୋର୍ଦ୍ଧା)।
ଉଲ୍ଲେଖନୀୟ କାର୍ଯ୍ୟକ୍ରମ ନିମନ୍ତେ ସଞ୍ଚଲ ପୁର ଜିଲ୍ଲାକୁ ମଧ୍ୟ ପୁରସ୍କୃତ କରାଯାଇଥିଲା। ପୁରସ୍କୃତ ବ୍ୟକ୍ତିମାନଙ୍କୁ ୨୫ ହଜାର ଟଙ୍କା ଲେଖାଏଁ ଓ ସଞ୍ଚଲ ପୁର ଜିଲ୍ଲାକୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦୁଇଦିନ ଧରି ଆୟୋଜିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିବା ସହିତ ସେଠାରେ ଆୟୋଜିତ ଭିନ୍ନକ୍ଷମମାନଙ୍କ ବିଭିନ୍ନ ଉତ୍ପାଦ ତଥା ସାମଗ୍ରୀର ମଣ୍ଡପ ଗୁଡ଼ିକ ପରିଦର୍ଶନ କରିଥିଲେ। ଆଜି ସକାଳେ ବିଭାଗ ପକ୍ଷରୁ ଏକ ଗଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଶୋଭାଯାତ୍ରା ରାଜମହଲ ଛକରୁ ବାହାରି ଆଦିବାସୀ ପଡ଼ିଆରେ ପହଞ୍ଚିଥିଲା।
Comments are closed.