ଏହି ଫଟୋ ଟ୍ବିଟ୍ କଲେ ନବୀନ, ଏମିତି ଟ୍ରୋଲ୍ କଲେ ଅନୁଗାମୀ

ଭୁବନେଶ୍ବର: ଚଳିତ ଡିସେମ୍ବର ମାସ ୧ ତାରିଖ ସକାଳେ ଏହି ସୁନ୍ଦର ଫଟୋଟି ନିଜ ଟ୍ବିଟର ହାଣ୍ଡଲ୍ରେ ପୋଷ୍ଟ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ସୁନ୍ଦର ରାସ୍ତାର ଫଟୋ ସହ ନବୀନ ଲେଖିଥିଲେ- ‘ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’। ଏ ଆଖିଝଲସା ରାସ୍ତା ଆଦୌ ଅଜଣା ଅମଡ଼ା ନୁହେଁ, ଓଡ଼ିଶାର ମଧ୍ୟଭାଗରେ ଦୁଇ ଗୁରୁତ୍ବପୂର୍ଣ୍ଣ ସହରକୁ ଏହା ସଂଯୋଗ କରୁଛି। ରାସ୍ତାଟି କେଉଁଠାର ହୋଇଥିବ ଅନୁମାନ କରନ୍ତୁ, ଉତ୍ତର ସଂଧ୍ୟା ୬ଟାରେ ମିଳିବ ବୋଲି ଟ୍ବିଟ୍ରେ ଉଲ୍ଲେଖ କରିଥିଲେ ମୁଖ୍ୟମନ୍ତ୍ରୀ।
‘ସୁନ୍ଦର ତୃପ୍ତିର ଅବସାଦ ନାହିଁ , ଯେତେ ଦେଖୁଥିଲେ ନୂଆ ଦିଶୁଥାଇ’
Certainly not a road less traveled, this picturesque route connects two important cities in the heart of #Odisha. Happy guessing
Answer at 6PM today. pic.twitter.com/3V8MpEc6sq
— Naveen Patnaik (@Naveen_Odisha) December 1, 2019
ଏ ଦୃଶ୍ୟକୁ ନବୀନଙ୍କର ବହୁ ଟ୍ବିଟର୍ ଅନୁଗାମୀ ପ୍ରଶଂସା କରିଥିବା ବେଳେ ଅନେକେ ଟ୍ରୋଲ୍ କରିବାକୁ ମଧ୍ୟ ପଛାଇ ନଥିଲେ। ଓଡ଼ିଶାର ଆଉ କିଛି ଅନୁନ୍ନତ ଓ ପୀଡ଼ାଦାୟକ ରାସ୍ତାର ଫଟୋ ଛାଡ଼ି ଅନୁଗାମୀ ମୁଖ୍ୟମନ୍ତ୍ରୀଙ୍କୁ ଚେତାଇବାକୁ ଚେଷ୍ଟା କରିଥିଲେ।
ଗୋଟିଏ ଅବୁଡ଼ାଖାବୁଡ଼ା ରାସ୍ତାରେ ବାଇକ୍ କିଭଳି ୮ରୁ ୧୩ କିମି ବେଗରେ ଯାଇପାରୁଛି ତାହାର ଫଟୋ ଛାଡ଼ି ଜଣେ ଅନୁଗାମୀ ଉତ୍ତର ଦେଇଛନ୍ତି- କିଛି ସୁନ୍ଦର ଦୃଶ୍ୟ ଏଠି ବି ଅଛି।
ତା ତଳକୁ ଆଉ ଜଣେ ଲେଖିଛନ୍ତି- ଏଗୁଡ଼ାକୁ ଦେଖାଯିବନି ସରକାରଙ୍କୁ।
ଭୁବନେଶ୍ବର ଇସ୍କନ ସମ୍ମୁଖ ଜାତୀୟ ରାଜପଥରେ ପାଣି ଭିତରେ ବସ ଯାଉଥିବାର ଦୃଶ୍ୟ ଛାଡ଼ି ଜଣେ ଟ୍ବିଟର ବ୍ୟବହାରକାରୀ ଲେଖିଛନ୍ତି- ଅତି ସୁନ୍ଦର।
ଜଣେ ଅନୁଗାମୀ ଲେଖିଛନ୍ତି- କିନ୍ତୁ ଏଭଳି ସୁରମ୍ୟ ସୌନ୍ଦର୍ଯ୍ୟକୁ ଦେଖିବା ପାଇଁ ଆମେ ସେ ରାସ୍ତା ଉପରେ ହେଲିକପ୍ଟରରେ ଯାଇ ପାରୁନାହୁଁ। ହାୟ! ତଥାପି ଆପଣଙ୍କ ଟୁଇଟ୍ ଭଲ ଲାଗିଲା।
ଅନ୍ୟ ଜଣେ ଲେଖିଲେ- ଏଭଳି ରାସ୍ତା କୋଟିପତି, ଠିକାଦାର, ରାଜନେତା ଓ ସରକାରୀ ଅଧିକାରୀଙ୍କ ପାଇଁ ଗୋଟେ ବଡ଼ କଥା। କିନ୍ତୁ ଜନତାଙ୍କର ଲୋଡ଼ା ପ୍ରାକୃତିକ ପରିବେଶ, ପୋଷଣ ଓ ସ୍ବାସ୍ଥ୍ୟ।
ଆଉ ଜଣେ କଟକ ରାସ୍ତାର ଦୁଃଖ ବଖାଣିଛନ୍ତି- ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ଜୀ ଦିନଟିଏ ପାଇଁ ହେଉ ପଛେ କଟକ ବୁଲିବେ କି… JICA ଦ୍ବାରା ରାସ୍ତା ଓ ପରିବେଶ ସମ୍ପୂର୍ଣ୍ଣ ବିଧ୍ବସ୍ତ ହୋଇଛି… ଆମେ ଧୂଳି ଆଉ ଟ୍ରାଫିକ୍ ଜାମ୍ ଭିତରେ ବହୁତ ଅସୁବିଧା ଭୋଗୁଛୁ। ସେ ଏ ସମସ୍ୟା ପ୍ରତି ଦୃଷ୍ଟି ଦେବେ କି… ନାଁ! ନାଁ! ନାଁ!
ଆଉ ଜଣେ ବ୍ୟଙ୍ଗ କରିଛନ୍ତି- ସ୍ ନ୍ଦ ର ଟ୍ରପ୍ତି ର ଅବସାଡ଼ ନହିଁ ଜେଟେ ଦେଖୁଠିଲେ ଣୁଆ ଡ଼ିସୁଠାଇ – ନବୀନ ପଟନାୟକ (real voice) ଆପଣ ମାଣେ ଖୁସି ଟ
ଜଣେ ଅନୁଗାମୀ ପ୍ରଶ୍ନ କରିଛନ୍ତି- ସାର୍ ରାଉରକେଲା-ଭୁବନେଶ୍ବର ହାଇଓ୍ବେ ବିଷୟରେ ଟିକେ କହିବେ କି?
ଜଣେ ଲେଖିଛନ୍ତି- ମହାପୁରୁ ଟିକେ ବ୍ରହ୍ମପୁର ଠାରୁ ରାୟଗଡା ରାସ୍ତା ଦେଖନ୍ତୁ ।।
ଅନ୍ୟ ଜଣେ ଲେଖିଛନ୍ତି- ସାର୍ ଆପଣ ହେଲିକପ୍ଟରରେ ପିକ୍ ଗୁଡ଼ା ଉଠେଇଛନ୍ତି, ଆମେ କେମିତି କହିବୁ। ତଳେ ରହି ଉଠାନ୍ତୁ, ହୁଏତ କହିବାକୁ ସୁବିଧା ହେବ।
‘ରାସ୍ତା ତିଆରି କରିବା ଓ ଚିତ୍ର ଫଟୋସପ୍ କରିବା ପର୍ଯ୍ୟଟନର ନୂଆ ସଜ୍ଞା କି?’ ବୋଲି ଜଣେ ପ୍ରଶ୍ନ କରିଛନ୍ତି।
‘ଭଦ୍ରକ ଧାମରା-ବାସୁଦେବପୁର ରାସ୍ତା ଦୟାକରି ମରାମତି କରନ୍ତୁ’ ବୋଲି ଜଣେ ଅନୁଗାମୀ ଦାବି କରିଛନ୍ତି।
ଜଣେ ଅନୁଗାମୀ ବିଜେପୁର ରାସ୍ତାର ଦୁରାବସ୍ଥା ଫଟୋ ଦେଇ ଲେଖିଛନ୍ତି- ଆପଣଙ୍କ ନିର୍ବାଚନ ମଣ୍ଡଳୀ ବିଜେପୁର। କିଛି କରନ୍ତୁ ସାର୍।
ତେବେ ବହୁ ଅନୁଗାମୀ ନବୀନଙ୍କର ଏହି ଟ୍ବିଟ୍କୁ ପ୍ରଶଂସା କରିଛନ୍ତି। ଅନେକେ ସ୍ଥାନଟି ପାଇଁ ଅନୁମାନ ଲଗାଇଥିଲେ ବି କେହି ଠିକ ଉତ୍ତର ଦେଇ ପାରିନଥିଲେ। କିଏ ଏହାକୁ ପୁରୀ-କୋଣାର୍କ ରାସ୍ତା ବୋଲି ଲେଖିଛନ୍ତି ତ ଅନ୍ୟମାନେ ବାଙ୍କୀ, ତ୍ରିଶୁଳିଆ, ଅନୁଗୁଳ, ମାଲକାନଗିରି, ନୟାଗଡ଼, ବଲାଙ୍ଗୀର ଆଦି ସ୍ଥାନର ଏ ରାସ୍ତା ବୋଲି ଅନୁମାନ କରିଛନ୍ତି।
ସଂଧ୍ୟାରେ ଗୁମର ଖୋଲିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାସ୍ତାଟି ବୌଦ୍ଧ-ସୋନପୁରକୁ ଯୋଗାଯୋଗ କରୁଛି ବୋଲି ସେ ଉଲ୍ଲେଖ କରିଥିଲେ।
Comments are closed.