ପୁରୀ ଗଣଦୁଷ୍କର୍ମର ମୁଖ୍ୟ ଅଭିଯୁକ୍ତ ଗିରଫ
ପୁରୀ: ପୁରୀରେ ନାବାଳିକାକୁ ଗଣଦୁଷ୍କର୍ମ କରିବା ଅଭିଯୋଗରେ ବହିଷ୍କୃତ ପୋଲିସ୍ କନେଷ୍ଟବଳ ଜିତେନ୍ଦ୍ର ସେଠୀ ଗିରଫ। ପକସୋ ଆଇନରେ ଜିତେନ୍ଦ୍ରକୁ ଗିରଫ କରିଛି ପୋଲିସ୍। ଏହା ସହିତ ଆଉ ତାର ୩ଜଣ ସହଯୋଗୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ନିମାପଡାରୁ ଉଠାଇ ନେଇ ପୁରୀରେ ନାବାଳିକାଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୀଡିତା ପୁରୀ କୁମ୍ଭାର ପଡା ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକସୋ ଆକ୍ଟରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ କାକଟପୁର ଅଞ୍ଚଳ ପୀଡିତା ଗତକାଲି ଭୁବନେଶ୍ୱରରୁ ଏକ ବସ୍ରେ ଘରକୁ ଫେରୁଥିଲେ। ଏତିକିବେଳେ ନିମାପଡା ଛକରେ ଏକ ହୋଟେଲରେ ଖାଉଥିଲେ ଯୁବତୀ। ଖାଇ ସାରି ଆସିବା ବେଳକୁ ବସଟି ଚାଲିଯାଇଥିଲା। ଆଉ ଏକ ବସକୁ ଛକରେ ଅପେକ୍ଷା କରିଥିଲେ ଯୁବତୀ। ଏହି ସମୟରେ ଜଣେ ପୋଲିସ କନେଷ୍ଟବଳ ସମେତ ୪ଜଣ ଯୁବତୀଙ୍କୁ ଘରେ ଛାଡି ଦେବାକୁ କହି କାରରେ ବସାଇ ନେଇଥିଲେ। ମାତ୍ର କାରଟି କାକଟପୁର ପରିବର୍ତେ ପୁରୀ ମେରାଇନ ରୋଡରେ ଯିବାରୁ ଯୁବତୀ ଜଣଙ୍କ ଏହାର ପ୍ରତିବାଦ କରିଥିଲେ। କିନ୍ତୁ ସେମାନେ ଯୁବତୀଙ୍କ ପ୍ରତିବାଦକୁ ନଶୁଣି ତାଙ୍କୁ ପୁରୀ ନେଇ ଆସିଥିଲେ।
ପୀଡିତାଙ୍କ ଅଭିଯୋଗ ଅନୁସାରେ, ଅପରାହ୍ନ ପ୍ରାୟ ୩ ଟା ସମୟରେ ପୁରୀ କୁମ୍ଭାରପଡା ଥାନା ଝାଡେଶ୍ୱରୀ କ୍ଲବ ନିକଟ ଏକ କ୍ୱାର୍ଟରରେ ତାଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ବହିଷ୍କୃତ ପୋଲିସ କର୍ମଚାରୀ, ସହଯୋଗୀଙ୍କ ସହ ମିଶି ଗଣଦୁଷ୍କର୍ମ କରିଥିବା କୁମ୍ଭାରପଡା ଥାନାରେ ଅଭିଯୋଗ କରିଛନ୍ତି ପୀଡ଼ିତା। ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ଏକ କୋଠରୀରେ ତାଲା ପକାଇ ରଖାଯାଇଥିଲା। ହେଲେ କୌଣସି ମତେ ସେଠାରୁ ସେ ଖସି ପଳାଇ ଆସିଥିଲେ। ତାପରେ କୁମ୍ଭାରପଡା ଥାନାରେ ଅଭିଯୋଗ କରିଥିଲେ।
Comments are closed.