Odisha Link
Bridging the Missing Links in Odisha

ରାଜଧାନୀର ୬୦ଟି କଲ୍ୟାଣ ମଣ୍ଡପ ହେବ ସିଲ !

ଭୁବନେଶ୍ବର: ସିଲ ହେବ ରାଜଧାନୀର ୬୦ଟି କଲ୍ୟାଣ ମଣ୍ଡପ। ଘର ପାଇଁ ପ୍ଲାନ୍ ନେଇ କରାଯାଇଛି କଲ୍ୟାଣ ମଣ୍ଡପ। ଏପରିକି ୬୦ରୁ ଅଧିକ କଲ୍ୟାଣ ମଣ୍ଡପରେ ପାର୍କିଂ ବ୍ୟବସ୍ଥା ନାହିଁ କି ଅଗ୍ନି ନିରାପତ୍ତା ବ୍ୟବସ୍ଥା ବି ନାହିଁ। ଅଧିକାଂଶ ବିଡିଏ ଓ ବିଏମ୍‌ସିରୁ ଗୋଟିଏ ପ୍ଲାନ୍ ନେଇ ପୂରା ଭିନ୍ନ ପ୍ଲାନ୍‌ରେ ମଣ୍ଡପ ନିର୍ମାଣ କରିଛନ୍ତି। ନକ୍ସାରେ ୧୦୦ଗାଡ଼ି ପାର୍କିଂ ବ୍ୟବସ୍ଥା ଦେଖାଇଥିବା ବେଳେ ୧୦ଟି ଗାଡ଼ି ପାର୍କିଂ ବ୍ୟବସ୍ଥା ନାହିଁ।ରାଜଧାନୀରେ ବେଆଇନ ଭାବେ ଗଢ଼ି ଉଠିଥିବା କଲ୍ୟାଣ ମଣ୍ଡପଗୁଡ଼ିକ ଯୋଗୁଁ ପାର୍କିଂ ସମସ୍ୟା ଉପୁଜୁ ଥିବା ବେଳେ ଏବେ ବାହାଘର ଋତୁ ଚାଲିଥିବାରୁ କଲ୍ୟାଣମଣ୍ଡପର ସ୍ଥିତି କ’ଣ କେଉଁ ପ୍ରକାରର ସମସ୍ୟା ଅଛି ତାହା ଜାଣିବାକୁ ବିଏମ୍‌ସି/ବିଡିଏ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।

ବିଏମ୍‌ସିର ତିନୋଟି ଜୋନ୍‌ରେ ଜୋନାଲ ଡେପୁଟି କମିସନରଙ୍କ ନେତୃତ୍ବରେ ତିନୋଟି ଟିମ୍ ଗଠନ ହୋଇଥିଲା। ଏଥିରେ ଜଣେ ସହକାରୀ ଯନ୍ତ୍ରୀ, ୱାର୍ଡ ସୁପରଭାଇଜର୍, ୱାର୍ଡ ଅଫିସର, ଅମିନ, ବିଡିଏର ଜଣେ ଏନଫୋର୍ସମେଣ୍ଟ ଅଧିକାରୀ, ବିଏମ୍‌ସି ଓ ବିଡିଏର ପ୍ଲାନିଂ ବିଭାଗର ଜଣେ ଲେଖାଏ ଅଧିକାରୀଙ୍କୁ ନେଇ ଟିମ୍ ଗଠନ ହୋଇଥିଲା। ମଣ୍ଡପଗୁଡ଼ିକ କେଉଁ ଉଦ୍ଦେଶ୍ୟରେ ଅନୁମତି ନେଇଥିଲେ, ଏବେ କ’ଣ କରୁଛନ୍ତି, ସେମାନଙ୍କର ପାର୍କିଂ ବ୍ୟବସ୍ଥା ଆଦି ଏହି ଟିମ୍ ଯାଞ୍ଚ କରିଥିଲେ। ଏପରିକି କେଉଁ ମଣ୍ଡପ ଟ୍ରେଡ୍ ଲାଇସେନ୍ସ ନେଇଛନ୍ତି, କିଏ ନେଇନି, କେତେ ପ୍ଲାନ୍ ଉଲ୍ଲଂଘନ କରି ନିର୍ମାଣ କରିଛନ୍ତି ତାହାର ବି ମାପଚୁପ ହୋଇଛି। ବିଏମ୍‌ସିର ସୂଚନା ଅନୁଯାୟୀ, ଭୁବନେଶ୍ବରରେ ବହୁ ପ୍ରମୁଖ ସ୍ଥାନରେ ଥିବା ମଣ୍ଡପଗୁଡ଼ିକର କିଛି କାଗଜପତ୍ର ନାହିଁ। ବେଆଇନ ଭାବେ ଚାଲିଥିବା ସବୁ କଲ୍ୟାଣ ମଣ୍ଡପ ସିଲ ହେବା ଦିଗରେ ନିଷ୍ପତ୍ତି ହୋଇଛି।

Comments are closed.