ଆଇସିସି ଟେଷ୍ଟ ରାଙ୍କିଙ୍ଗ୍: ବିରାଟ ନମ୍ବର-୧
ଦୁବାଇ: ପ୍ରକାଶ ପାଇଛି ଆଇସିସି ଟେଷ୍ଟ ରାଙ୍କିଙ୍ଗ୍। ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ପୁଣିଥରେ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସେ ଅଷ୍ଟ୍ରେଲିଆର ଷ୍ଟିଭ୍ ସ୍ମିଥଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଉପରେ କବଜା କରିଛନ୍ତି। ନିକଟରେ ବାଂଲାଦେଶ ବିପକ୍ଷରେ ଶେଷ ହୋଇଥିବା ଟେଷ୍ଟ ସିରିଜରେ କୋହଲି ଭଲ ପ୍ରଦର୍ଶନ କରିଥିଲେ, ଯେଉଁକାରଣରୁ ତାଙ୍କ ରାଙ୍କିଙ୍ଗରେ ସୁଧାର ହୋଛି। ଆଇସିସି ପକ୍ଷରୁ ବୁଧବାର ଜାରି ହୋଇଥିବା ଟେଷ୍ଟ ରାଙ୍କିଙ୍ଗରେ କୋହଲି ୯୨୮ ପଏଣ୍ଟ ସହ ପ୍ରଥମ ସ୍ଥାନରେ ରହିଛନ୍ତି। ସେହିପରି ସ୍ମିଥ୍ ୯୨୩ ପଏଣ୍ଟ ସହ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି।
ପାକିସ୍ତାନ ବିପକ୍ଷ ଆଡିଲେଡରେ ଖେଳାଯାଇଥିବା ଦିବାରାତ୍ର ଟେଷ୍ଟରେ ଅପରାଜିତ ୩୩୫ ରନର ଇନିଂସ୍ ଖେଳିଥିବା ୱାର୍ଣ୍ଣର୍ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି। ସାଥୀ ଖେଳାଳି ମାର୍ନସ୍ ଲାବୁଶେନଙ୍କୁ ମଧ୍ୟ ବିପୁଳ ଫାଇଦା ହୋଇଛି। ଲାବୁଶେନ୍ ୧୧୦ଟି ସ୍ଥାନ ଉପରକୁ ଅଷ୍ଟମ ସ୍ଥାନରେ ପହଞ୍ଚି ଯାଇଛନ୍ତି। ୱାର୍ଣ୍ଣରଙ୍କ ଉପରକୁ ଉଠିବା ଦ୍ୱାରା ଭାରତର ଭାଇସ୍-କ୍ୟାପଟେନ୍ ଆଜିଙ୍କ୍ୟ ରାହାଣେ ଗୋଟିଏ ସ୍ଥାନ ଖସି ଷଷ୍ଠରେ ପହଞ୍ଚିଛନ୍ତି।
ଏବେ ଭାରତର ତିନିଜଣ ବ୍ୟାଟ୍ସମ୍ୟାନ୍ ଟପ-୧୦ରେ ରହିଛନ୍ତି। ଚେତେଶ୍ୱର ପୂଜାରା ଚତୁର୍ଥ ଓ ରାହାଣେ ଷଷ୍ଠ ସ୍ଥାନରେ ଅଛନ୍ତି। ଖରାପ ଫର୍ମରେ ଥିବା ଇଂଲଣ୍ଡ କ୍ୟାପଟେନ୍ ଜୋ ରୁଟ୍ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦ୍ୱିଶତକ ମାରି ଟପ୍-୧୦ରେ ପ୍ରବେଶ କରି ସପ୍ତମ ସ୍ଥାନ ହାସଲ କରିଛନ୍ତି। ପାକିସ୍ତାନର ବାବର ଆଜମ ଦୁଇଟି ସ୍ଥାନ ଉଠି ୧୩ଶ ସ୍ଥାନରେ ପହଞ୍ଚିଛନ୍ତି।
Comments are closed.