Odisha Link
Bridging the Missing Links in Odisha

ବିଜୁ ଯୁବବାହିନୀ ପକ୍ଷରୁ ଆୟୋଜିତ ସାମାଜିକ କାର୍ଯ୍ୟକ୍ରମ ‘ନନ୍ଦିନୀ’ ନେଇ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର : ବିଜୁ ଯୁବ ବାହିନୀ ପକ୍ଷରୁ ଆୟୋଜିତ ହେବାକୁ ଥିବା ‘ନନ୍ଦିନୀ’ କାର୍ଯ୍ୟକ୍ରମର ଏକ ପ୍ରାକ୍‌ ପ୍ରସ୍ତୁତି ବୈଠକ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ଲୋକସେବା ଭବନସ୍ଥିତ ମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ବୈଠକରେ କାର୍ଯ୍ୟକ୍ରମର ମୂଳଲକ୍ଷ୍ୟ, ରୂପରେଖ ଏବଂ କାର୍ଯ୍ୟକାରିତା ନେଇ ବିସ୍ତୃତ ଆଲୋଚନା ହୋଇଥିଲା ।

ଲିଙ୍ଗଗତ ସମାନତା ଓ ମହିଳା ସଶକ୍ତିକରଣ ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିବା ଏହି କାର୍ଯ୍ୟକ୍ରମ ଜରିଆରେ ସମଗ୍ର ରାଜ୍ୟରେ ବାଲ୍ୟବିବାହ, ଯୌତୁକ ଏବଂ ଘରୋଇ ହିଂସା ଆଦିର ପ୍ରତିରୋଧ ଲକ୍ଷ୍ୟ ନେଇ ଜନସଚେତନତା ସୃଷ୍ଟି କରାଯିବା ସହିତ ଏ ସଂପର୍କରେ ପ୍ରଚଳିତ ଆଇନ ସଂପର୍କରେ ଜନସାଧାରଣଙ୍କୁ ଅବଗତ କରାଯିବ ।

ରାଜ୍ୟରେ କାର୍ଯ୍ୟ କରୁଥିବା ବିଜୁ ଯୁବ ବାହିନୀର କର୍ମକର୍ତ୍ତା ତଥା ସ୍ବେଚ୍ଛାସେବୀମାନେ ୩୧୪ଟି ବ୍ଲକ୍‌ ଅଧିନରେ ଥିବା ପ୍ରତ୍ୟେକ ଗ୍ରାମ ଓ ଓ୍ୱାର୍ଡରେ ଏହି ସଂସ୍କାରଧର୍ମୀ କାର୍ଯ୍ୟକ୍ରମ କରିବେ । ବିଜୁ ଯୁବ ବାହିନୀର ସ୍ବେଚ୍ଛାସେବୀମାନେ ପୋଷ୍ଟର ଓ ପ୍ଲାକାର୍ଡ ମାଧ୍ୟମରେ ପ୍ରଚାର ସହ ଘରକୁ ଘର ଯାଇ ଏ ସଂପର୍କରେ ଲୋକଙ୍କୁ ସଚେତନ କରିବେ ।

ଏଥି ସହିତ ବିଭିନ୍ନ ସରକାରୀ ନିୟମ ଓ ଯୋଜନା ସଂପର୍କରେ ଲୋକଙ୍କୁ ଅବଗତ କରାଇବେ । ସ୍ବେଚ୍ଛାସେବୀମାନେ ବିଭିନ୍ନ ସରକାରୀ ବିଭାଗ ସହିତ ଯୋଗସୂତ୍ର ସ୍ଥାପନ କରି ଏହି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ସହିତ ବ୍ଲକ୍‌ ଓ ଗ୍ରାମ ପଞ୍ଚାୟତ ସ୍ତରରେ ସମସ୍ତଙ୍କ ନିକଟରେ ଏହି କାର୍ଯ୍ୟକ୍ରମ ପହଞ୍ଚାଇବା ନେଇ କାର୍ଯ୍ୟକରିବେ । ବିଜୁ ଯୁବ ବାହିନୀ ପକ୍ଷରୁ ସ୍ୱତନ୍ତ୍ର ଗ୍ରାମସଭା ଆୟୋଜନ କରାଯାଇ ଅଞ୍ଚଳକୁ ବାଲ୍ୟବିବାହମୁକ୍ତ, ଯୌତୁକମୁକ୍ତ ଏବଂ ଘରୋଇ ହିଂସାମୁକ୍ତ ଅଞ୍ଚଳ ଭାବେ ଗଠନ କରିବା ପାଇଁ ‘ସଂକଳ୍ପ ସଭା’ମାନ ଆୟୋଜନ କରିବେ ।

ବାଲ୍ୟବିବାହ ରୋକିବା ଦିଗରେ ମାଲକାନଗିରି, ନବରଙ୍ଗ ପୁର, ମୟୂରଭଞ୍ଜ, କୋରାପୁଟ, ରାୟଗଡ଼ା, ନୟାଗଡ଼, ଗଞ୍ଜାମ, କେଉଁଝର, ବାଲେଶ୍ୱର, ଢେଙ୍କାନାଳ, ଗଜ ପତି, ବୌଦ୍ଧ, ଦେବଗଡ଼, ସୁବର୍ଣ୍ଣ ପୁର ଓ କନ୍ଧମାଳ ଆଦି ୧୫ଟି ଜିଲ୍ଲାକୁ ଫୋକସ୍‌ରେ ରଖାଯାଇଥିବାବେଳେ ଯୌତୁକ ଏବଂ ଘରୋଇ ହିଂସା ପ୍ରତିରୋଧ ପାଇଁ ଅନୁଗୋଳ, କଳାହାଣ୍ଡି, ନୂଆ ପଡ଼ା, ଖୋର୍ଦ୍ଧା, କଟକ, ସୁନ୍ଦରଗଡ଼, ବଲାଙ୍ଗୀର, ବରଗଡ଼, କେନ୍ଦ୍ରା ପଡ଼ା, ସଞ୍ଚଲ ପୁର, ଝାରସୁଗୁଡ଼ା, ଜଗତସିଂହ ପୁର, ଯାଜ ପୁର, ପୁରୀ ଏବଂ ଭଦ୍ରକ ଆଦି ବାକି ୧୫ଟି ଜିଲ୍ଲାକୁ ଫୋକସ୍‌ରେ ରଖାଯାଇଛି ।

ଏହି ବୈଠକରେ ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ରାଜ୍ୟ ଯୁବ କଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ  ବିଜୟ କୁମାର ନାୟକ, ମିଶନ ଶକ୍ତିର ଉପଦେଷ୍ଟା ଲୋପାମୁଦ୍ରା ବକ୍ସି ପାତ୍ର, ମହିଳା ଓ ଶିଶୁ ବିକାଶ ବିଭାଗର ଉପଦେଷ୍ଟା ସୁଲତା ଦେଓ, କ୍ରୀଡ଼ା ଓ ଯୁବସେବା ବିଭାଗର ଉ ପଶାସନ ସଚିବ ବିଜୟାନନ୍ଦ ନାୟକଙ୍କ ସମେତ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ ।

Comments are closed.