Odisha Link
Bridging the Missing Links in Odisha

ଏନକାଉଣ୍ଟର ମାମଲାରେ ତଦନ୍ତ ଆରମ୍ଭ କଲା ଏନଏଚଆରସି

ନୂଆଦିଲ୍ଲୀ: ‘ଦିଶା’ ଗଣବଳାତ୍କାର ଓ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ ହାଇଦ୍ରାବାଦ ପୁଲିସ ଏନକାଉଣ୍ଟରରେ ମାରିଦେବା ଘଟଣା ସୁପ୍ରିମକୋର୍ଟରେ ପହଞ୍ଚିଛି। ଏହି ଘଟଣା ନିମନ୍ତେ ପୁଲିସ ବିରୋଧରେ ୨ ଜଣ ଓକିଲ ଜି.ଏସ. ମଣି ଏବଂ ପ୍ରଦୀପ କୁମାର ସୁପ୍ରିମକୋର୍ଟରେ ପିଟିଶନ ଦାୟର କରିବା ସହ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ କରିବାକୁ ଦାବି କରିଛନ୍ତି। ଏଥିପାଇଁ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି) ହାଇଦ୍ରାବାଦ ଏନକାଉଣ୍ଟର ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। କମିଶନଙ୍କ ଏକ ଟିମ୍‌ ଶନିବାର ହାଇଦ୍ରାବାଦ ଗସ୍ତ କରି ଘଟଣାର ଅନୁଧ୍ୟାନ କରିଛନ୍ତି।

ଓକିଲଙ୍କ କହିବା ଅନୁଯାୟୀ ୨୦୧୪ରେ ସୁପ୍ରିମକୋର୍ଟ ଦେଇଥିବା ଗାଇଡ୍‌ଲାଇନ ପାଳନ କରାଯାଇ ନାହିଁ। ଏନକାଉଣ୍ଟରରେ ସାମିଲ ପୁଲିସ ଅଧିକାରୀଙ୍କ ବିରୋଧରେ ଏତଲା ରୁଜୁ କରିବା, ତଦନ୍ତ କରିବା ଏବଂ କାର୍ଯ୍ୟାନୁଷ୍ଠାନ ନେବାକୁ ପିଟିଶନରେ ଦାବି କରାଯାଇଛି। ଏହି ଘଟଣାରେ ଆଉ ଏକ ପିଟିଶନ ଓକିଲ ଏମ.ଏଲ. ଶର୍ମା ଦାଖଲ କରିଛନ୍ତି । କୋର୍ଟଙ୍କ ଅଧୀନରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ ଗଠନ କରିବାକୁ ଏଥିରେ ଦାବି କରାଯାଇଛି। ଏହା ସହିତ ସେ ଜୟା ବଚ୍ଚନ ଏବଂ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷ ସ୍ବାତି ମାଲିୱାଲଙ୍କ ବିରୋଧରେ ଆଇନର ହତ୍ୟାକାରୀଙ୍କୁ ସମର୍ଥନ କରିବା ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Comments are closed.