Odisha Link
Bridging the Missing Links in Odisha

ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ । ‘ଅକ୍ଷର’ ନାମରେ ନାମିତ ଏହି ମହୋତ୍ସବକୁ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟରେ ଉଦ୍‌ଘାଟନ କରିଛନ୍ତି ।

ସ୍ଥାନୀୟ ୟୁନିଟ୍‌-୩ ପ୍ରଦର୍ଶନୀ ପଡ଼ିଆରେ ଆୟୋଜିତ ଏକ ବର୍ଣ୍ଣାଢ଼୍ୟ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ । ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ପ୍ରସିଦ୍ଧ ଗାନ୍ଧୀବାଦୀ ନାରୀନେତ୍ରୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି କହିଲେ ଯେ ବହି ହେଉଛି ସମସ୍ତଙ୍କର ବଡ଼ ସାଥି । ବର୍ତ୍ତମାନ ଯୁଗରେ କ୍ରମେ କ୍ରମେ ବହି ପଢ଼ିବା ଅଭ୍ୟାସ କମି ଯାଉଛି । ସୋସିଆଲ୍‌ ମିଡିଆରେ ସଂପୃକ୍ତ ହୋଇ ବର୍ତ୍ତମାନ ପିଢ଼ି ବହି ପଢ଼ାକୁ ଆଉ ଆବଶ୍ୟକ ମନେ କରୁନାହାନ୍ତି ।

ତେଣୁ ଯୁବ ପିଢ଼ିଙ୍କ ଆଗ୍ରହ ବୃଦ୍ଧି ଲକ୍ଷ୍ୟରେ ଏ ପରି ପୁସ୍ତକ ମେଳା ବିଶେଷ ସହାୟକ ହେବ । ବହି ଯୁଗେ ଯୁଗେ ମଣିଷକୁ ପଥ ଦେଖାଇ ତା’ର ଉତ୍ତରୋତ୍ତର ଉନ୍ନତିରେ ସାହାଯ୍ୟ କରିଆସିଛି । ମହାନ୍ତି କହିଲେ ପୁସ୍ତକ ମେଳାରୁ ପୁସ୍ତକ ସଂଗ୍ରହ କିମ୍ବା କ୍ରୟ ପ୍ରତ୍ୟେକ ବ୍ୟକ୍ତି ଉପରେ ନିର୍ଭରଶୀଳ ହୋଇଥିଲେ ମଧ୍ୟ ମେଳାରେ ବହି ଦେଖିବା ମଧ୍ୟ ଆନନ୍ଦଦାୟକ । ଦେଖିବା ଓ ଜାଣିବାର ସୁଯୋଗ ମେଳା ଆମକୁ ଦେଇଛି ବୋଲି କହି ମହାନ୍ତି ଓଡ଼ିଶା ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗକୁ ଏ ପରି ଆୟୋଜନ ପାଇଁ ପ୍ରଶଂସା କରିଥିଲେ ।

ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ପହଞ୍ଚିବା ମାତ୍ରେ ସୂଚନା ଓ ଲୋକସଂପର୍କ ବିଭାଗ ଓ ରାଜ୍ୟ ଅଭିଲେଖାଗାରର ମିଳିତ ଆନୁକୂଲ୍ୟରେ ଆୟୋଜିତ ‘ଗାନ୍ଧିଜୀ ଓ ଓଡ଼ିଶା’ ଶୀର୍ଷକ ପ୍ରଦର୍ଶନୀ ମଣ୍ଡପ ପରିଦର୍ଶନ କରିଥିଲେ । ଏହି ପ୍ରଦର୍ଶନୀରେ ଗାନ୍ଧୀ ଜୀବନୀ ଆଧାରିତ ଫଟୋଚିତ୍ର ଏବଂ ଅନେକ ନଥିର ଫଟୋଚିତ୍ର ସ୍ଥାନ ପାଇଛି ।

ଏହା ବ୍ୟତୀତ ଗାନ୍ଧିଜୀଙ୍କ ଜୀବନୀ ଆଧାରିତ ଏକାଧିକ ପୁସ୍ତକ ମଧ୍ୟ ରଖାଯାଇଛି । ଏହା ପରେ ସେ ମହୋତ୍ସବ ଉଦ୍‌ଘାଟନ କରି କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ବିଶିଷ୍ଟ ଅତିଥି ମହାନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀ ପ୍ରକାଶିତ ତିନୋଟି ପୁସ୍ତକ ( ପ୍ରବନ୍ଧ, ଗଳ୍ପ ଓ କବିତା ସଂକଳନ) ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଭାବରେ ପ୍ରଦାନ କରିଥିଲେ । ସେହି ପରି ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ଏକ ସଂକଳ୍ପ ପତ୍ର ଲୋକାର୍ପଣ କରିଥିଲେ । ସୂଚନା ଅଧିକାରୀ ଶ୍ରୀମତୀ ସୁଚେତା ପି୍ରୟଦର୍ଶିନୀ କାର୍ଯ୍ୟକ୍ରମ ଶେଷରେ କୃତଜ୍ଞତା ଜ୍ଞାପନ କରିଥିଲେ ।

ଏହି ପୁସ୍ତକ ମହୋତ୍ସବରେ କଳିଙ୍ଗ ପୁସ୍ତକ ମେଳା କମିଟି, ରାଜଧାନୀ ପୁସ୍ତକ ମେଳା, ଏକାମ୍ର ପୁସ୍ତକ ମହୋତ୍ସବ କମିଟି ଏବଂ ପୁସ୍ତକ ପ୍ରକାଶକ ଓ ବିକ୍ରେତା ସଂଘ ସହଯୋଗ କରିଥିବାବେଳେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନସ୍ଥ ଓଡ଼ିଶା ସାହିତ୍ୟ ଏକାଡେମୀ, ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ରାଜ୍ୟ ଅଭିଲେଖାଗାର, ଡ. ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାର ଓ ରାଜ୍ୟ ସଂଗ୍ରହାଳୟ ଆଦି ସଂପୃକ୍ତ ହୋଇଛନ୍ତି ।

ମହୋତ୍ସବରେ ପ୍ରାୟ ୫୦୦ ଷ୍ଟଲ୍‌ ଖୋଲିଛି । ରାଜ୍ୟ ଓ ରାଜ୍ୟ ବାହାରୁ ବିଶିଷ୍ଟ ପୁସ୍ତକ ପ୍ରକାଶକମାନେ ପ୍ରଦର୍ଶନରେ ଅଂଶଗ୍ରହଣ କରିଛନ୍ତି । ମହୋତ୍ସବରେ ପ୍ରତି ସନ୍ଧ୍ୟାରେ ସାରସ୍ୱତ ସମାଗମ ଆୟୋଜନ କରାଯାଇଛି । ୭ ତାରିଖ ସନ୍ଧ୍ୟାରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଶ୍ରୀଲଙ୍କାର ଖ୍ୟାତନାମା ସାହିତ୍ୟିକ ପ୍ରଫେସର ଦୟା ଦିଶାନାୟକେ, ବିଭାଗୀୟ ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ, ଶକ୍ତି ବିଭାଗ କମିଶନର ତଥା ଶାସନ ସଚିବ କବି ବିଷ୍ଣୁପଦ ସେଠୀ, ଓଡ଼ିଶା ସାହିତ୍ୟ ଏକାଡେମୀ ସଭା ପତି ଡ. ହରିହର ମିଶ୍ର ପ୍ରମୁଖ ଯୋଗଦେବେ ।

Comments are closed.