୭୦ ଲକ୍ଷ ଠକି ନେଲେ ମହିଳା !
ବଲାଙ୍ଗିର: ସହାୟତା କରିବା ବାହାନାରେ ୭୦ ଲକ୍ଷ ଟଙ୍କା ଠକି ନେଇଛନ୍ତି ଆରତି ନାୟକ ନାମକ ଜଣେ ମହିଳା। ଏହି ପରି ଏକ ଅଭିଯୋଗ ଆସିଛି ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀ ନଗର ପଡ଼ାରୁ। ଅଭିଯୋଗ ଅନୁଯାୟୀ, ତିନି ବର୍ଷ ତଳେ ଯାଜପୁର ଜିଲ୍ଲାର ଆରତି ତାଙ୍କ ପରିବାର ସହିତ ଆସି ଗାନ୍ଧୀ ନଗର ପଡ଼ାରେ ଭଡ଼ାରେ ରହିଥିଲେ। କିଛି ଦିନ ଭିତରେ ସେ ଲୋକଙ୍କ ସହିତ ମିଳାମିଶା କରି ସେମାନଙ୍କର ବିଶ୍ୱାସ ଜିତିବା ପରେ ସେମାନଙ୍କ ସହ ଘନିଷ୍ଠତା ବଢ଼ାଇଥିଲେ। ଏବଂ ପରେ ପରେ କାହାକୁ ଚାକିରି ଦେବା ନାଁରେ, କାହାର ଝିଅର ବାହାଘର କରାଇ ଦେବା ନାଁରେ ଓ କାହାର ଜମିବାଡ଼ି କରେଇ ଦେବା ନାଁରେ ଟଙ୍କା ନେଇ ଫେରାର୍ ହୋଇଯାଇଛନ୍ତି।
ସହାୟତା କରିବାର ଲୋଭ ଦେଖାଇ ସେ ପ୍ରାୟ ୫୦ ଜଣ ମହିଳାଙ୍କ ଠାରୁ ୭୦ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ଏତେ ପରିମାଣର ଟଙ୍କା ସଂଗ୍ରହ କରିବା ପରେ ସେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି। ସେ ରହୁଥିବା ଘରେ ତାଲା ପଡ଼ିଥିବା ବେଳେ ତାଙ୍କ ମୋବାଇଲ୍ ଫୋନ୍ ବି ସ୍ୱିଚ୍ ଅଫ୍ ଅଛି। ଠକେଇର ଶିକାର ହୋଇଥିବା ଜାଣି ଉକ୍ତ ମହିଳାମାନେ ଟାଉନ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଏନେଇ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ ଆରତି ମହିଳାମାନଙ୍କୁ ହିଁ ଟାର୍ଗେଟ୍ କରୁଥିବା ଜଣାପଡିଛି। ସେ ଆହୁରି ଅନେକ ମହିଳାଙ୍କୁ ଠକିଥିବା ବେଳେ ପରିବାର ଲୋକଙ୍କ ଭୟରେ ସେମାନେ ସାମ୍ନାକୁ ଆସୁ ନାହାନ୍ତି। କାରଣ ଅଧିକାଂଶ ମହିଳା ପରିବାର ଲୋକଙ୍କୁ ନଜଣାଇ ଆରତିଙ୍କୁ ଟଙ୍କା ଦେଇଛନ୍ତି।
ଠକେଇର ଶିକାର ହୋଇଥିବା ସୁପ୍ରଭା ସାହୁ ନାମ୍ନୀ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ ତାଙ୍କ ଦିବ୍ୟାଙ୍ଗ ଝିଅକୁ ଚାକିରି କରାଇ ଦେବା ନାଁରେ ଆରତି ତାଙ୍କଠାରୁ ୪ ଲକ୍ଷ ଟଙ୍କା କିସ୍ତିରେ ଦେଇଥିଲେ। ତେବେ ଝିଅକୁ ଚାକିରି ମିଳିଲା ନାହିଁ। ଏଥିରେ ବିଳମ୍ବ ହେଉଥିବା ଦେଖି ସେ ଆରତିଙ୍କୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ। କିନ୍ତୁ ସେ ଟଙ୍କା ନ ଫେରାଇ ଆଜି ଦେବେ, କାଲି ଦେବେ କହି ଦିନ ଗଡ଼ାଇଥିଲେ। ଏହିଭଳି ଭାବେ ବିଭିନ୍ନ ପ୍ରକାରର ସାହାଯ୍ୟ କରିବା ନେଇ ଆରତି ଅନ୍ୟ ମହିଳାମାନଙ୍କଠାରୁ ଟଙ୍କା ନେଇଥିଲେ। ସେ କାହାଠୁ ୨ ଲକ୍ଷ, କାହାଠୁ ପଚାଶ ହଜାର ଆଉ କାହାଠୁ ୫ ହଜାର ଟଙ୍କା ନେଇଥିବା ଜଣା ପଡିଛି।
Comments are closed.