Odisha Link
Bridging the Missing Links in Odisha

ଦ୍ଵିତୀୟ କନ୍ଧମାଳ ସାହିତ୍ୟ ଉତ୍ସବ

ଭୁବନେଶ୍ୱର : ପ୍ରକୃତି, ସଂସ୍କୃତି ଓ ସାହିତ୍ୟ ମଧ୍ୟରେ ଥିବା ପାରସ୍ପରିକ ସମ୍ବନ୍ଧ ବିଷୟରେ ଚର୍ଚ୍ଚା କରିବା ପାଇଁ ଓଡିଶା ଡାଏରୀ ଫାଉଣ୍ଡେସନ ଓ କଳିଙ୍ଗ ସାହିତ୍ୟ ମହୋତ୍ସବର ମିଳିତ ପ୍ରୟାସରେ ଆସନ୍ତା ଡିସେମ୍ବର ୧୪ ଓ ୧୫ ତାରିଖରେ ଫୁଲବାଣୀଠାରେ ଦ୍ଵିତୀୟ କନ୍ଧମାଳ ସାହିତ୍ୟ ମହୋତ୍ସବ ଆରମ୍ଭ ହେବ ।

ଏହି ଉତ୍ସବରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି, ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା , ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଏବଂ ବିଶିଷ୍ଟ ଶିକ୍ଷାବିତ ତଥା କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ ସମ୍ମାନନୀୟ ଅତିଥି ହିସାବରେ ଯୋଗଦାନ କରିବେ । ଏଥିରେ ଇଂରାଜୀ ଭାଷାର ବିଶିଷ୍ଟ କବି ଜୟନ୍ତ ମହାପାତ୍ର ମାର୍ଗଦର୍ଶୀ ଅଭିଭାଷଣ ପ୍ରଦାନ କରିବେ ।କନ୍ଧମାଳ ଜିଲ୍ଲା ନିଜର ସ୍ଵତନ୍ତ୍ର ସଂସ୍କୃତି, ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଏଠାକାର ସମାଜର ସରଳପଣିଆ ପାଇଁ ସର୍ବ ବିଦିତ ।

ଏହିସବୁ ଗୁଣ ଜଣେ ଲେଖକ, ବିଚାରକ ତଥା ସାହିତ୍ୟିକୁ ପ୍ରେରିତ କରିଥାଏ । ରାଜ୍ୟର ବିଭିନ୍ନ ଅଞ୍ଚଳ ସହିତ ଯୋଡିହେବା ପାଇଁ ଓଡିଶା ଡାଏରୀ ଫାଉଣ୍ଡେସନର ଏହା ଏକ ପ୍ରୟାସ ।  ଏହି ସାହିତ୍ୟ ମହୋତ୍ସବରେ ଓଡିଶାର ଅଗ୍ରଣୀ ସାରସ୍ଵତ ଶିଳ୍ପୀ ଗଣ ଯଥା ଜୟନ୍ତ ମହାପାତ୍ର, ଅମରେଶ ପଟ୍ଟନାୟକ, ଜ୍ୟୋତି ନନ୍ଦ, ଅଧ୍ୟାପକ ବିଶ୍ଵରଞ୍ଜନ, ସୂର୍ଯ୍ୟ ମିଶ୍ର, ମୋହିତ ଚକ୍ରବର୍ତ୍ତୀ, ରବି ସ୍ଵାଇଁ, କେଦାର ମିଶ୍ର, ଆଦିତେଶ୍ଵର ମିଶ୍ର, ଅମରେଶ ବିଶ୍ଵାଳ, ମଦନ ମହାପାତ୍ର, ଗିରିଜା ପ୍ରସାଦ ମିଶ୍ର, ସୁଜିତ ପଣ୍ଡା, ରଞ୍ଜିତା ପଣ୍ଡା, ଶରତ ଆଚାର୍ଯ୍ୟ, ନରେନ୍ଦ୍ର ଭୋଇ,ପ୍ରଦୀପ କହଁର, ବିଦେଶୀ ନାୟକ, ତୀର୍ଥଯାନୀ, ମଧୁସୂଦନ ମହାପାତ୍ର, ହାଡିବନ୍ଧୁ ମହାକୁଡ, ପ୍ରକାଶ ସେନାପତି, ନିରଞ୍ଜନ ନାୟକ, ଚନ୍ଦ୍ରଶେଖର ହୋତା, ବୀରେନ୍ଦ୍ର ଦାଶ , କ୍ଷେତ୍ରବାସୀ ମାନସେଠ, ଯୋଗେଶ୍ଵର ପଣ୍ଡା, ଅନିଲ ପଣ୍ଡା ଏବଂ ଅନ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଏହି ଦୁଇଦିନିଆ ମହୋତ୍ସବ ଅବସରରେ କନ୍ଧମାଳ ଜିଲ୍ଲାର ପ୍ରାୟ ୬୦ ଜଣ କବି ସେମାନଙ୍କର ସ୍ଵରଚିତ କବିତା ପାଠ କରିବେ ।କନ୍ଧମାଳ ସାହିତ୍ୟ ମହୋତ୍ସବ ବିଷୟରେ ଆୟୋଜକ ରଶ୍ମି ରଞ୍ଜନ ପରିଡା କୁହନ୍ତି “ଭେଟି ଦେବାକୁ କନ୍ଧମାଳପାଖରେ ଅନେକ କିଛି ରହିଛି । ଅନେକଙ୍କ ପାଇଁ ଏହା ଏକ ନୀରବ ପ୍ରେରଣାର ସ୍ରୋତ। କନ୍ଧମାଳ ସହିତ ଓଡିଶାର ସାରସ୍ଵତ ଇତିହାସର ସମ୍ପର୍କ ବିଷୟରେ ଅଧିକ ଜାଣିବା ସକାଶେ ତଥା ଜିଲ୍ଲାର ଉଚ୍ଚକୋଟୀର କଳାତ୍ମକ ଓ ସଂସ୍କୃତିକ ଐତିହ୍ୟକୁ ସମ୍ମାନ ଜଣାଇବା ପାଇଁ ଆମେ ପ୍ରାୟାସରତ” ।

କନ୍ଧମାଳ ସାହିତ୍ୟ ମହୋତ୍ସବ ପାଇଁ ଓଡିଶା ତଥା ଓଡିଶା ବାହାରର ଅନେକ ପାଠକଙ୍କ ଆଗ୍ରହ ବଢୁଥିବାରୁ ମହୋତ୍ସବର ସହସଂସ୍ଥାପକ ତଥା ଆବାହକ ଦେବାଶିଷ ସାମନ୍ତରାୟ ସନ୍ତୋଷ ବ୍ୟକ୍ତ କରିଥିଲେ। ଭବିଷ୍ୟତରେ ଏହା ଓଡିଶାର ସାହିତ୍ୟିକ ସମାବେଶର ଏକ ନିୟମିତ କାର୍ଯ୍ୟକ୍ରମ ଭାବେ ସ୍ଥାନିତ ହେବ ବୋଲି ସେ ଆଶା କରିଛନ୍ତି । ଏହି ପ୍ରୟାସ ବିଷୟରେ ସେ କହିଥିଲେ ଯେ ଓଡିଶାର କୋଣ ଅନୁକୋଣରୁ ଜ୍ଞାନ ଓ ପ୍ରେରଣା ପାଇବା ସକାଶେ କନ୍ଧମାଳ ସାହିତ୍ୟ ମହୋତ୍ସବ ଆମ ଉଦ୍ୟମର ଅଂଶବିଶେଷ ।

Comments are closed.