ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ ହେଲା ରୁଷ୍
![](https://www.odishalink.com/wp-content/uploads/2019/12/WADA.jpg)
ନୂଆଦିଲ୍ଲୀ: ୨୦୨୦ ଟୋକିଓ ଅଲିମ୍ପିକ୍ସ ହେବା ପୂର୍ବରୁ ରୁଷକୁ ଏକ ବଡ଼ ଝଟ୍କା ଲାଗିଛି। ବିଶ୍ବ ଡୋପିଂ ନିରୋଧୀ ସଂସ୍ଥା(ୱାଡା) ରୁଷକୁ ଅନ୍ତର୍ଜାତୀୟ କ୍ରୀଡ଼ାରୁ ୪ବର୍ଷ ବାସନ୍ଦ କରିଛି। ଫଳରେ ରୁଷ ଆଗାମୀ ୨୦୨୦ରେ ଜାପାନର ରାଜଧାନୀ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ଭାଗ ନେଇପାରିବ ନାହିଁ। ଏଥିସହ ୨୦୨୨ରେ ହେବାକୁ ଥିବା ଶୀତକାଳୀନ ଅଲିମ୍ପିକ୍ସ ଏବଂ ବିଶ୍ଵ ଚାମ୍ପିୟନ ସିପ୍ରେ ମଧ୍ୟ ଅଂଶଗ୍ରହଣ କରିପାରିବ ନାହିଁ।
ସୂଚନାଯୋଗ୍ୟ, ରୁଷ ଅଧିକାରୀମାନେ ଅନେକ ଡୋପିଂ ମାମଲାକୁ ଲୁଚାଇବା ପାଇଁ ଲାବରେଟୋରି ଡାଟାବେସରେ ତଥ୍ୟ ଏପଟସେପଟ କରିଥିଲେ। ଏ ନେଇ ଅଭିଯୋଗ ମିଳିବା ପରେ ୱାଡ଼ା ପକ୍ଷରୁ ତଦନ୍ତ କରାଯାଇଥିଲା। ତଦନ୍ତ ପରେ ୱାଡା ରୁଷ୍କୁ ୪ବର୍ଷ ବାସନ୍ଦ କରିଛନ୍ତି। ୱାଡା ମୁଖପାତ୍ରଙ୍କ ସୂଚନା ଅନୁସାରେ ସମସ୍ତଙ୍କ ସହମତି ପରେ ରୁଷ ଉପରେ ପ୍ରତିବନ୍ଧକ ସହିତ ନିଲମ୍ବନ ନିଷ୍ପତ୍ତି ନିଆଯାଇଛି। ଅନ୍ୟପଟେ ଏହି ପ୍ରତିବନ୍ଧକ ବିରୋଧରେ ରୁଷର ଆଣ୍ଟି ଡୋପିଂ ଏଜେନ୍ସି(ରୁସାଡା) ଯଦି ଆବେଦନ କରିବ, ତେବେ ଏହି ମାମଲାକୁ କୋର୍ଟ ଅଫ୍ ଆର୍ବିଟ୍ରେଶନ ଫର ସ୍ପୋର୍ଟ(ସିଏଏସ)କୁ ପଠାଯିବ ବୋଲି ୱାଡା କହିଛି। ତେବେ ଯେଉଁ ରୁଷୀୟ ଆଥଲେଟ୍ମାନେ ଡୋପିଂ ଉଲ୍ଲଂଘନରୁ ମୁକ୍ତ ଅଛନ୍ତି, ସେମାନେ ଆଗାମୀ ୪ବର୍ଷ ପର୍ଯ୍ୟନ୍ତ ନିଜ ଦେଶର ଜାତୀୟ ପତାକା ଏବଂ ଜାତୀୟ ସଙ୍ଗୀତ ବିନା ପ୍ରମୁଖ ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତାଗୁଡ଼ିକରେ ଅଂଶଗ୍ରହଣ କରିପାରିବେ।
Comments are closed.