ସମସ୍ୟାର ସମାଧାନ ପାଇଁ ‘ଆସ୍କ୍ ୟୋର୍ ସିପି’ ବ୍ୟବସ୍ଥା

ଭୁବନେଶ୍ବର : ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ କମିସନରେଟ୍ ପୁଲିସ ଆରମ୍ଭ କରିଛି ‘ଆସ୍କ୍ ୟୋର୍ ସିପି’ ଯୋଜନା। ପ୍ରତି ସାଧାରଣ ଲୋକଙ୍କ ମନୋଭାବକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ପୁଲିସ ମଧ୍ୟ ଲୋକଙ୍କର ସମସ୍ୟା ସମାଧାନ ପାଇଁ ଅଣ୍ଟା ଭିଡ଼ିଛି। ଏଥିପାଇଁ ପୁଲିସ କମିସନର୍ ସୁଧାଂଶୁ ଷଡ଼ଙ୍ଗୀ ଥମ ଥର ପାଇଁ ଲୋକଙ୍କ ମନରେ ରହିଥିବା ଅସମାହିତ ପ୍ରଶ୍ନର ଉତ୍ତର ଦେବା ପାଇଁ ଯୋଜନା କରିଛନ୍ତି। ଆସନ୍ତା ୧୪ ତାରିଖ ସନ୍ଧ୍ୟା ୫ଟା ବେଳେ ଟ୍ବିଟର ଜରିଆରେ ସିଧାସଳଖ (ଲାଇଭ୍) ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ। ଏଥିପାଇଁ ସାଧାରଣ ଲୋକଙ୍କ ଠାରୁ ଆଇନ ଶୃଙ୍ଖଳା, ଅପରାଧ, ଟ୍ରାଫିକ୍ ଓ ପୁଲିସ ସହ ସଂଶ୍ଳିଷ୍ଟ ଯେ କୌଣସି ପ୍ରଶ୍ନ ପାଇଁ ସେ ଆହ୍ବାନ କରିଛନ୍ତି। ଏହାର ଡେଡ୍ ଲାଇନ୍ ଡିସେମ୍ବର ୧୨ ତାରିଖ ରହିଛି। ‘ଆସ୍କ୍ ୟୋର ସିପି’ ‘ହାସ୍ ଟ୍ୟାଗ୍’ ବ୍ୟବହାର କରି ଲୋକମାନେ ଧାର୍ଯ୍ୟ ଅବଧି ପୂର୍ବରୁ ପ୍ରଶ୍ନ ପଚାରି ପାରିବେ। ୧୪ ତାରିଖ ସନ୍ଧ୍ୟାରେ ପୁଲିସ କମିସନର ଟ୍ବିଟର ଜରିଆରେ ଲାଇଭ୍ ଆସି ଏହି ସବୁ ପ୍ରଶ୍ନର ଉତ୍ତର ଦେବେ।
ପ୍ରଥମ ଥର ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ଏଭଳି ଏକ ଅଭିନବ ବ୍ୟବସ୍ଥାର ପରିକଳ୍ପନା କରାଯାଇଛି। ଆଣ୍ଡ୍ରଏଡ୍ ମୋବାଇଲ ହ୍ୟାଣ୍ଡ ସେଟ୍ ଜରିଆରେ ସହରାଞ୍ଚଳରେ ବସବାସ କରୁଥିବା ପ୍ରତ୍ୟେକ ବ୍ୟକ୍ତି ଏହାର ସୁଯୋଗ ନେଇ ପାରିବେ। ଅନେକ ସମୟରେ ସୋସିଆଲ ମିଡିଆ ଜରିଆରେ ଲୋକମାନେ ଅନେକ କଥା ଜାଣିବାକୁ ଚାହୁଁଛନ୍ତି। ଏଣୁ ଲୋକମାନଙ୍କ ମନରେ ଥିବା ଦ୍ବନ୍ଦ୍ବ ଦୂର ପାଇଁ ଏଭଳି ଏକ ଅଭିନବ ପରିକଳ୍ପନା କରାଯାଇଛି। ଏ ନେଇ ପୁଲିସ କମିସନର୍ ଶ୍ରୀ ଷଡ଼ଙ୍ଗୀ ନିଜର ଟ୍ବିଟର ଆକାଉଣ୍ଟ ଜରିଆରେ ସୂଚନା ଦେଇଛନ୍ତି। ଏହି ସୂଚନା ମିଳିବା ପରେ ଲୋକମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହୋଇଛି। ସୂଚନା ମିଳିବାର ୨ ଘଣ୍ଟା ମଧ୍ୟରେ ଲୋକମାନେ ୩୫ ପ୍ରଶ୍ନ ପଚାରିଛନ୍ତି। ଏଥିରେ ରାଜଧାନୀର ଟ୍ରାଫିକ୍ ସମସ୍ୟା ଉପରେ ସର୍ବାଧିକ ପ୍ରଶ୍ନ ରହିଛି।
Comments are closed.