ରାହୁଲ ଦୋହରାଇଲେ ‘ରେପ୍ ଇନ୍ ଇଣ୍ଡିଆ’ ମନ୍ତବ୍ୟ, କହିଲେ ମୁଁ ମାଗିବିନି..
ନୂଆଦିଲ୍ଲୀ: ଆଜି ସଂସଦରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ରେପ୍ ଇନ୍ ଇଣ୍ଡିଆ ମନ୍ତବ୍ୟକୁ ନେଇ ଜୋରଦାର ହଙ୍ଗାମା କରିଛି ବିଜେପି। ଏପରିକି ଲୋକସଭାରେ ରାହୁଲ ଗାନ୍ଧିଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି ବିଜେପି। ବିଜେପି ସାଂସଦ ସ୍ମୃତି ଇରାନୀ ଲୋକସଭାରେ କହିଛନ୍ତି ଯେ, ମହିଳାଙ୍କ ସମ୍ପର୍କରେ ରାହୁଲ କୁତ୍ସିିତ ମନ୍ତବ୍ୟ ଦେଇଛନ୍ତି। ମହିଳାଙ୍କ ଚରିତ୍ରକୁ ନେଇ ରାହୁଲଙ୍କ ଏଭଳି ମନ୍ତବ୍ୟ ଅକ୍ଷମଣୀୟ।
ଏଥିସହିତ ଦେଶର ଇତିହାସରେ ପ୍ରଥମ ଥର ପାଇଁ ଜଣେ ନେତା ଦେଶର ମହିଳାଙ୍କୁ ଦୁଷ୍କର୍ମ କରିବା ପାଇଁ ଆହ୍ୱାନ କରିଛନ୍ତି ବୋଲି ଆମେଠି ସାଂସଦ ତଥା କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ। ଏହାକୁ ସମର୍ଥନ କରି ଶାସକ ଦଳର ମହିଳା ସାଂସଦ ମାନେ ନିଜ ନିଜ ଆସନରେ ଛିଡ଼ା ହୋଇ ରାହୁଲଙ୍କ କ୍ଷମା ପ୍ରାର୍ଥନା ଦାବି କରିଥିଲେ। ଏମିତିକି ଏଭଳି ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧିଙ୍କୁ ଦଣ୍ଡିତ କରାଯାଉ ବୋଲି ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ଦାବି କରିଥିଲେ ଶାସକ ଦଳର ମହିଳା ସାଂସଦମାନେ।
Congress MP Rahul Gandhi on BJP demands apology from him for his 'rape in India' remark: I will not apologize pic.twitter.com/ksOBmh85IO
— ANI (@ANI) December 13, 2019
ବିଜେପିର କ୍ଷମା ପ୍ରାର୍ଥନା ଦାବିକୁ ନେଇ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ସେ କହିଛନ୍ତି ଯେ, ମୁଁ ଏହି ପ୍ରସଙ୍ଗ ଉପରେ କ୍ଷମା ମାଗି ପାରିବିନାହିଁ। ନରେନ୍ଦ୍ର ମୋଦି ଓ ଅମିତ ଶାହ ପୂରା ଉତ୍ତର-ପୂର୍ବ ଜଳେଇ ଦେଇଛନ୍ତି। ଏହି ପ୍ରସଙ୍ଗରୁ ଜନସାଧାରଣଙ୍କ ଧ୍ୟାନ ହଟାଇବା ପାଇଁ ବିଜେପି ମୋତେ ଟାର୍ଗେଟ କରୁଛି ବୋଲି ରାହୁଲ କହିଛନ୍ତି।
ଏଥିସହିତ ରାହୁଲ କହିଛନ୍ତି ଯେ, କିଛି ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଧାନୀ ଦିଲ୍ଲୀକୁ ରେପ୍ର ରାଜଧାନୀ କହିଥିଲେ। ବିଜେପି ଶାସିତ ରାଜ୍ୟରେ ମହିଳାଙ୍କ ବିରୋଧରେ ଅପରାଧ ବଢ଼ିଛି। ଉନ୍ନାଓ ଦୁଷ୍କର୍ମକୁ ନେଇ ସେ କହିଛନ୍ତି, ବିଜେପି ବିଧାୟକ ପୀଡ଼ିତାଙ୍କ ଗାଡ଼ି ପୋଡ଼ିଦେଲେ। ସାରା ଦେଶରେ ହିଂସା ଘଟଣା ବୃଦ୍ଧି ପାଇଛି। ଜମ୍ମୁ କଶ୍ମୀରରେ ହିଂସା ଏବେ ବି ରହିଛି। ତେଣୁ ମୋଦି କ୍ଷମା ମାଗିବା ଦରକାର ବୋଲି ସେ କହିଛନ୍ତି।
ଆଜି ଆରବିଆଇର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନଙ୍କୁ ରାହୁଲ ଭେଟିଥିଲେ। ଦେଶର ମୂଳଦୁଆ ଅର୍ଥବ୍ୟବସ୍ଥା। ହେଲେ ବିଶ୍ୱର କୌଣସି ସ୍ଥାନରେ ଭାରତର ଅର୍ଥବ୍ୟବସ୍ଥା ବାବଦରେ ଆଲୋଚନା ହେଉନି ବୋଲି ରଘୁରାମ ତାଙ୍କୁ କହିଥିବା ରାହୁଲ କହିଛନ୍ତି।
Comments are closed.