Odisha Link
Bridging the Missing Links in Odisha

ବିଜେପି ମିଛ କହୁଛି, ଆମକୁ ଅପହରଣ କରାଯାଇନି: ବରଗଡ଼ ଜିଲ୍ଲାପରିଷଦ ସଦସ୍ୟା

ଭୁବନେଶ୍ବର: ବରଗଡ଼ ଜିଲ୍ଲା ପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ଘଟଣାରେ ନୂଆ ମୋଡ଼। ଗତକାଲି ବିଜେପି ବରଗଡ଼ ଜିଲ୍ଲାର ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ନେଇ ଅଭିଯୋଗ କରିଥିଲା। ଏବେ ଏହି ଘଟଣାରେ ଆସିଛି ନୂଆମୋଡ। ଆଜି ରାଜଧାନୀରେ ଗଣମାଧ୍ୟମରେ ସାମ୍ମାରେ ମୁହଁ ଖୋଲିଛନ୍ତି ଜିଲ୍ଲାପରିଷଦ ସଦସ୍ୟାମାନେ।

ସେମାନେ କହିଛନ୍ତି ଯେ, ସେମାନଙ୍କୁ କେହି ଅପହରଣ କରିଆଣି ନାହାନ୍ତି। ସେମାନେ ନିଜ ଇଚ୍ଛାରେ ଭୁବନେଶ୍ୱର ଆସିଛନ୍ତି। ବିଜେପି ଯେଉଁ ଅଭିଯୋଗ ଆଣିଛି ସବୁ ସଂପୂର୍ଣ୍ଣ ମିଛ। ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାଁରେ ବିଜେପି ଆଣିଥିବା ଅଭିଯୋଗ ମିଛ ବୋଲି ସେମାନେ କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ, ସାଧାରଣ ନିର୍ବାଚନ ପୂର୍ବରୁ ଅର୍ଥାତ୍ ମାର୍ଚ୍ଚ 28 ତାରିଖରୁ ବିଜେପି ଛାଡ଼ି ବିଜେଡିରେ ମିଶିଛୁ। ବିକାଶ ଧାରାରେ ସାମିଲ ହେବାକୁ ଆମେ ବିଜେଡିରେ ମିଶିଛୁ।

ବରଗଡର ଭେଡ଼େନ ଜୋନ୍-ଟୁ ଜିଲ୍ଲାପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ଜୋନ-୧ ର ଜିଲ୍ଲାପରିଷଦ ସଦସ୍ୟ ପାର୍ବତୀ ଭୋଇଙ୍କ ସ୍ୱାମୀ ଏସପିଙ୍କ ନିକଟରେ ସେମାନଙ୍କ ଅପହରଣ ନେଇ ଲିଖିତ ଅଭିଯୋଗ କରିଛନ୍ତି। ଏହି ଜିଲ୍ଲାପରିଷଦ ସଦସ୍ୟାଙ୍କୁ ସୋହେଲା ବୁଲାଇନେବାକୁ କହି ଡ଼ାକି ନେଇ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଛି। ତେବେ ବିଜେପିର ସମସ୍ତ ଅଭିଯୋଗକୁ ମିଥ୍ୟା ବୋଲି କହିଛନ୍ତି ବରଗଡର ଜିଲ୍ଲା ପରିଷଦ ସଦସ୍ୟା।

ସୂଚନାଯୋଗ୍ୟ, ଗତକାଲି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଥିଲେ ଯେ, ମନ୍ତ୍ରୀ ଶ୍ରୀ ସିଂହ ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିଜେଡିକୁ ନେବା ପାଇଁ ଚେଷ୍ଟା କରୁଛନ୍ତି। ବରଗଡ଼ ପିଡି ଡିଆରଡିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସହଯୋଗ କରୁନାହାନ୍ତି। ପୂର୍ବରୁ ମୟୂରଭଞ୍ଜରେ ବି ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଫେରି ଆସିଲେ। ବାହୁବଳ ଓ ପ୍ରଶାସନିକ କଳକୁ ବ୍ୟବହାର କଲେ ମଧ୍ୟ ସଫଳ ହେବେନି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

Comments are closed.