ଦାଦନଙ୍କ ପତ୍ନୀଙ୍କୁ ଗଣଦୁଷ୍କର୍ମ
ଭବାନୀପାଟଣା : ପେଟ ପୋଷିବା ପାଇଁ ରାଜ୍ୟ ବାହାରକୁ ଯାଇ ଦାଦନ ଖଟୁଥିବା ସ୍ବାମୀ ପତ୍ନୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ସାମ୍ନାକୁ ଆସିଛି। ଦାଦନ ସ୍ବାମୀ ଜଣେ ଚିହ୍ନା ଲୋକଙ୍କୁ ବିଶ୍ବାସ କରି ତାଙ୍କ ହାତରେ ପତ୍ନୀଙ୍କ ପାଖକୁ ଟଙ୍କା ଓ ଜିନିଷପତ୍ର ପଠାଇଥିଲେ। ମାତ୍ର ଏହି ଟଙ୍କା ଦେବା ବାହାନାରେ ସଂପୃକ୍ତ ବ୍ୟକ୍ତି ଜଣକ ଅନ୍ୟ ଦୁଇଜଣ ଦାଦନଙ୍କ ସହ ମିଶି ପତ୍ନୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି। ଏଥିସହ ତାଙ୍କ ଘର ଆଲମିରା ଚାବି ଓ ଏଟିଏମ୍ କାର୍ଡ ମଧ୍ୟ ନେଇଯାଇଛନ୍ତି। ଥାନାରେ ଏ ନେଇ ପୀଡ଼ିତା ଅଭିଯୋଗ ଦେବା ପରେ ତିନି ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ତଲମଲା ଗ୍ରାମର ଝସକେତନ ନାଗ ଓରଫ ଆକାଶ(୨୭), ଲକ୍ଷ୍ମୀକାନ୍ତ ନାଗ ଓରଫ ଅବନ(୩୨) ଓ କିଶୋର ଚନ୍ଦ୍ର ମହାଲିକ(୨୭)।
ସୂଚନା ଅନୁଯାୟୀ, ପୀଡ଼ିତାଙ୍କ ସ୍ବାମୀ ଗୋଆରେ ଦାଦନ ଖଟନ୍ତି। ଗତ ୧୦ ତାରିଖ ଦିନ ଜୁନାଗଡ଼ ଥାନା ଅନ୍ତର୍ଗତ ତଲମଲା ଗ୍ରାମର ଝସକେତନ ନାଗ ହାତରେ ପୀଡ଼ିତାଙ୍କ ସ୍ବାମୀ କିଛି ଜିନିଷପତ୍ର ଓ ହଜାରେ ଟଙ୍କା ପଠାଇଥିଲେ। ଏହି ଟଙ୍କା ଓ ସାମଗ୍ରୀକୁ ଆଣି ଝସକେତନ ଆସିଥିଲା। କିନ୍ତୁ ସନ୍ଧ୍ୟା ହେବାରୁ ଝସକେତନ ମହିଳାଙ୍କ ଘରେ ଆଶ୍ରୟ ନେଇଥିଲା। ୧୨ ତାରିଖ ଦିନ ଝସକେତନ ପୀଡ଼ିତାଙ୍କ ଏଟିଏମ୍ କାର୍ଡରେ ଟଙ୍କା ଉଠାଣ କରିଦେବ ବୋଲି କହି ତାଙ୍କୁ ବାଇକ୍ରେ ବସାଇ ଆଣିଥିଲା। ସଦର ବ୍ଲକ୍ ଅନ୍ତର୍ଗତ ଶଗଡ଼ା ନିକଟସ୍ଥ ଗୋବରା ଗାଁରେ ଟିକିଏ କାମ ଅଛି କହି ସେଠାକୁ ଧରି ନେଇଥିଲା। ଗୋବରା ଗ୍ରାମର ଛକ ନିକଟରେ ବାଇକ୍ ରଖି ଲକ୍ଷ୍ମୀକାନ୍ତ ନାଗ ଓ କିଶୋରଚନ୍ଦ୍ର ମହାଲିକଙ୍କୁ ଫୋନ୍ ଯୋଗେ ଡାକିଥିଲା। ଦୁଇଜଣ ସାଙ୍ଗ ସେଠାରେ ପହଞ୍ଚିଥିଲେ ଏବଂ ତିନିଜଣ ମିଶି ମହିଳାଙ୍କୁ ପାଖରେ ଥିବା ନାଳାକୁ ଟେକିନେଇ ଗଣଦୁଷ୍କର୍ମ କରିଥିଲେ। ପରେ ତାଙ୍କୁ ସେଠାରେ ଛାଡ଼ିଦେଇ ତାଙ୍କ ଆଲମାରି ଚାବି ଓ ଏଟିଏମ୍ କାର୍ଡ ନେଇ ୩ଜଣ ଫେରାର୍ ହୋଇଯାଇଥିଲେ। ଏ ସଂପର୍କରେ କାହାରିକୁ କହିଲେ ହତ୍ୟା କରିବେ ବୋଲି ଧମକ ମଧ୍ୟ ଦେଇଥିଲେ। ତେବେ ଏ ନେଇ ପୀଡ଼ିତା ସଦର ଥାନାରେ ଏତଲା ଦେଇଥିଲେ। ପୁଲିସ ଆଇପିସି ଧାରା ୩୭୬ଡି, ୩୯୪, ୨୯୪, ୫୦୬, ୩୪ରେ ଏକ ମାମଲା ରୁଜୁ କରିଛି।
Comments are closed.