ଭାରତୀୟ ନୌସେନାରେ ପାକିସ୍ତାନୀ ଗୁପ୍ତଚର, ୭ ଗିରଫ
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୋଲିସ ପାକିସ୍ତାନୀ ଗୁଇନ୍ଦା ରାକେଟ୍ ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ଭାରତୀୟ ନୌସେନାର ୭ ଯବାନଙ୍କୁ ଗିରଫ କରିଛି । ଏହି ଯବାନମାନେ ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ କୁହାଯାଇଛି, ରାଜ୍ୟ ଗୁଇନ୍ଦା ଶାଖା କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ଏବଂ ନୌସେନାର ଗୁଇନ୍ଦା ବିଭାଗ ସହିତ ମିଶି ଏହି ରାକେଟ୍ କୁ ଧରିବା ଲାଗି ‘ଅପରେଶନ ଡଲଫିନ୍ସ ନୋଜ’ ଆରମ୍ଭ କରିଥିଲା । ଏହି ଅପରେଶନ ସମୟରେ ପାକିସ୍ତାନୀ ଗୁଇନ୍ଦା ରାକେଟ୍ ର ପର୍ଦ୍ଦାଫାଶ ହୋଇଛି। ପ୍ରାଥମିକ ତଦନ୍ତ ପରେ ଭାରତୀୟ ନୌସେନାର ୭ ଯବାନ ଏବଂ ଜଣେ ହୱାଲା ଅପରେଟରକୁ ଦେଶର ବିଭିନ୍ନ ସ୍ଥାନରୁ ଗିରଫ କରାଯାଇଛି। ଏହା ସହିତ ଏଥିରେ ସମ୍ପୃକ୍ତ ଥିବା ଅନ୍ୟ କେତେଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା କରାଯାଉଛି। ମାମଲାର ତଦନ୍ତ ଜାରି ରହିଥିବାରୁ ପୋଲିସ ପକ୍ଷରୁ ଅଧିକ ସୂଚନା ଦିଆଯାଇନାହିଁ।
ଗିରଫ ଅଭିଯୁକ୍ତମାନଙ୍କୁ ଶୁକ୍ରବାର କୋର୍ଟରେ ହାଜର କରାଯାଇଥିବାବେଳେ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ମାମଲାର ତଦନ୍ତ ଏବେ ଜାରି ଥିବା ବେଳେ ପୋଲିସ ଘଟଣା ନେଇ ବିସ୍ତୃତ ସୂଚନା ଦେଇନାହିଁ । ତେବେ କିଛି ସନ୍ଦିଗ୍ଧଙ୍କୁ ଏବେବି ପଚରା ଉଚୁରା କରାଯାଉଥିବା ଜଣାପଡିଛି। ତେବେ ପାକିସ୍ତାନ ଲାଗି ଗୁଇନ୍ଦାଗିରି ମାମଲାରେ ଆହୁରି କିଛି ନୌସେନା ଅଧିକାରୀ ଓ କର୍ମଚାରୀ ଗିରଫ ହୋଇପାରନ୍ତି ବୋଲି ଆଶଙ୍କା କରାଯାଉଛି।
Comments are closed.