ଆଜି ବାରବାଟୀ ଦିନିିକିଆ: ସିରିଜ୍ ବିଜୟ ଲକ୍ଷ୍ୟରେ ଉଭୟ ଦଳ

କଟକ: ଆଜି କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଅନ୍ତିମ ମ୍ୟାଚ୍। ଏଥିସହିତ ସିରିଜ ୧- ୧ରେ ଥିବାରୁ ଉଭୟ ଦଳ ଟାଇଟଲ ହାତେଇବା ପାଇଁ ଆଜି ଅନ୍ତିମ ମ୍ୟାଚ ଖେଳିବେ। ଫଳରେ କ୍ରିକେଟ ପ୍ରେମୀ ଆଜି କଟକରେ ସୁପର ସଣ୍ଡେ ମୁକାବିଲା ଦେଖିବେ। ମ୍ୟାଚ ଆକଳନ ତୁଳନା ଅନୁସାରେ ଭାରତୀୟ ଦଳ ଦୃଢ଼ ସ୍ଥିତିରେ ଅଛି। ଅନ୍ୟପଟେ ଓ୍ବେଷ୍ଟଇଣ୍ଡିଜ ସିରିଜ ହାତେଇବା ନେଇ କରିଛି ଜୋରଦାର ପ୍ରସ୍ତୁତି।
ଭାରତର ପଲ୍ଲା ଭାରି: ବ୍ୟାଟିଂରେ ଭାରତ ଭ୍ରମଣକାରୀ ଦଳ ଅପେକ୍ଷା ବହୁତ ମଜଭୁତ୍। ଦୁଇ ପ୍ରାରମ୍ଭିକ ଖେଳାଳି ରାହୁଲ୍ ଓ ରୋହିତ୍ ଜବରଦସ୍ତ ଫର୍ମରେ ଅଛନ୍ତି। ରୋହିତ୍ ପ୍ରଥମ ମ୍ୟାଚରେ ୩୬ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୧୫୯ ରନର ଦମଦାର ଇନିଂସ୍ ଖେଳିଥିଲେ। ରାହୁଲ ପ୍ରଥମ ମ୍ୟାଚରେ ନିରାଶ କରିଥିଲେ, କିନ୍ତୁ ବିଶାଖାପାଟଣାରେ ସେ ୧୦୨ ରନ୍ କରି ଫର୍ମକୁ ଫେରିଥିଲେ। ତେବେ କ୍ୟାପଟେନ୍ ବିରାଟ୍ କୋହଲି (୪ ଓ ୦) ଦୁଇଟି ଯାକ ମ୍ୟାଚରେ ବିଫଳ ହୋଇଛନ୍ତି। ବାରବାଟୀରେ ସେ ରନ୍ କରି ଫର୍ମକୁ ଫେରିବାକୁ ଚାହିଁବେ। ଦୁଇ ଯୁବ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ ଓ ଋଷଭ ପନ୍ତ ଆଶାଠାରୁ ଅଧିକ ଭଲ ପ୍ରଦର୍ଶନ କରି ସମସ୍ତଙ୍କୁ ଆକୃଷ୍ଟ କରିଛନ୍ତି।
ବୋଲିଂ ଓ ଫିଲ୍ଡିଂକୁ ନେଇ ଚିନ୍ତାରେ ଟିମ୍ ଇଣ୍ଡିଆ: ଫିଲ୍ଡିଂରେ ଭାରୀତ ଅପେକ୍ଷାକୃତ ଦୁର୍ବଳ ପ୍ରଦର୍ଶନ କରିଛି। ଦ୍ୱିତୀୟ ମ୍ୟାଚରେ ଆୟର୍ ହୁଏତ ଶିମରନ୍ ହେଟମେୟରଙ୍କୁ ରନଆଉଟ୍ କରିଥାଇପାରନ୍ତି, କିନ୍ତୁ ଦୀପକ ଚହର୍ ଲଗାତାର ଦୁଇଟି କ୍ୟାଚ୍ ଛାଡ଼ିବା ଟିମକୁ ଚିନ୍ତାରେ ପକାଇଥିଲା। ଦୀପକ ଏହି ମ୍ୟାଚରେ ଆହତ କାରଣରୁ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ନଭଦୀପ ସାଇନିଙ୍କୁ ସୁଯୋଗ ମିଳିପାରେ। ତୃତୀୟ ମୁକାବିଲା ପାଇଁ ମଧ୍ୟ ଭାରତ ଖୁବ୍ କ୍ୟାଚିଂ ଅଭ୍ୟାସ କରିଛି। ଏହାଛଡ଼ା ଟିମର ବୋଲିଂରେ ମଧ୍ୟ ସେଭଳି ଗଭୀରତା ଦେଖିବାକୁ ମିଳିନାହିଁ। କେବଳ ମହମ୍ମଦ ଶାମିଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ନିଜ ନିଜର ସାମର୍ଥ୍ୟ ଅନୁଯାୟୀ ପ୍ରଦର୍ଶନ କରିନାହାନ୍ତି। ବାରବାଟୀରେ ହୁଏତ କ୍ୟାପଟେନ୍ କୋହଲି ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନପାରନ୍ତି। ଯଦି କୌଣସି ପରିବର୍ତ୍ତନ ନହୁଏ, ତାହେଲେ ୟୁଜବେନ୍ଦ୍ର ଚହଲଙ୍କୁ ପୁଣିଥରେ ବାହାରେ ବସିବାକୁ ପଡ଼ିବ।
ଦମ୍ ଦେଖାଇବ ୱେଷ୍ଟଇଣ୍ଡିଜ୍ ଦଳ: ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ବିଭାଗରେ ମଧ୍ୟ ମଜ୍ଭୁତ ରହିଛି। ତେବେ ଏହାର ଦୁର୍ବଳତା ହେଲା ବୋଲିଂ। ଚାପ ପଡ଼ିଲେ ଇଣ୍ଡିଜ୍ର ବୋଲିଂ ଛତ୍ରଭଙ୍ଗ ଦେଉଛି। ତେଣୁ ଶକ୍ତିଶାଳୀ ଭାରତୀୟ ବ୍ୟାଟିଂ ଲାଇନ୍କୁ ରୋକିବାକୁ ହେଲେ ୱେଷ୍ଟଇଣ୍ଡିଜ୍କୁ ସହଳ ୱିକେଟ ନେବାକୁ ପଡ଼ିବ; ଯାହା ସେମାନେ ପ୍ରଥମ ଦିନିକିଆରେ କରିଥିଲେ। ଟ୍ବେଣ୍ଟି୨୦ ସିରିଜ୍ରେ ଚମତ୍କାର ବ୍ୟାଟିଂ କରିଥିବା ଅଧିନାୟକ ବିରାଟ କୋହଲି ଗତ ୨ଟି ଦିନିକିଆ ମ୍ୟାଚ୍ରେ ୫ଟି ବଲ୍ ଖେଳି ୪ ରନ୍ କରିଛନ୍ତି। ତେଣୁ କଟକରେ ତାଙ୍କଠାରୁ ଭାରତ ବଡ଼ ସ୍କୋର୍ର ଆଶାରଖିଛି। କଟକ ଦର୍ଶକଙ୍କ ଆଖି ନିଶ୍ଚୟ ଏହି ମ୍ୟାଚ୍ ବିଜେତାଙ୍କ ଉପରେ ରହିବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ କୋହଲିଙ୍କ ଦିନିକିଆ ଆଭ୍ରେଜ୍ ହେଉଛି ୭୧.୬୬। ଆଇପିଏଲ୍ ନିଲାମରେ କୋଟିପତି ହେବା ପୂର୍ବରୁ ସେଲ୍ଡନ କଟ୍ରେଲ୍ ପ୍ରଥମ ଦିନିକିଆରେ ଚମ୍ପିଆନ୍ଙ୍କ ପରି ବୋଲିଂ କରିଥିଲେ। ତେବେ ୨ୟ ଦିନିକିଆରେ ସେ ନିମ୍ନମାନର ବୋଲିଂ କରିଥିଲେ। ତଥାପି କଟ୍ରେଲଙ୍କ ପ୍ରତି ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ସତର୍କ ରହିବାକୁ ପଡ଼ିବ। ଭାରତ ଏହି ମ୍ୟାଚ୍ରେ ନବଦୀପ ସୈନିଙ୍କୁ ଖେଳାଇବା ନିଶ୍ଚିତ ହୋଇଥିବା ବେଳେ ସାର୍ଦ୍ଦୁଳ ଠାକୁର ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣେ ଖେଳିବେ। ୱେଷ୍ଟଇଣ୍ଡିଜ୍ ବ୍ୟାଟିଂ ଲାଇନ୍ରେ ସମସ୍ତେ ଭଲ ଫର୍ମରେ ଅଛନ୍ତି। ତେବେ ଦଳ ଅଧିନାୟକ ପୋଲାର୍ଡଙ୍କ ସହ ଏଭିନ୍ ଲୁଇସ୍, ସାଇ ହୋପ୍, ସିମ୍ରନ୍ ହେତ୍ମେୟର ଓ ନିକୋଲାସ୍ ପୁରନ୍ ମ୍ୟାଚ୍ ବିଜେତା ପ୍ରମାଣିତ ହୋଇପାରନ୍ତି । ତେବେ ଗତ ମ୍ୟାଚ୍ରେ ହ୍ୟାଟ୍ରିକ୍ ନେଇଥିବା କୁଲଦୀପ ଯାଦବଙ୍କ ପ୍ରତି ସେମାନଙ୍କୁ ସତର୍କ ରହିବାକୁ ପଡ଼ିବ। ମ୍ୟାଚ୍ରେ କାକର ପ୍ରଭାବ ରହିବ। ତେଣୁ ଉଭୟ ଦଳ ଟସ୍ ଜିତି ଫିଲ୍ଡିଂର ନିଷ୍ପତ୍ତି ନେଇପାରନ୍ତି।
Comments are closed.