ନାଗରିକତା ଆଇନ ବିରୋଧୀ ବିଜ୍ଞାପନକୁ ନେଇ ଏଭଳି କହିଲେ ହାଇକୋର୍ଟ
କୋଲକାତା: ଆଜି କୋଲକାତା ହାଇକୋର୍ଟ ନାଗରିକତା ସଂଶୋନ ଆଇନକୁ ଜାରି ହେଉଥିବା ବିଜ୍ଞାପନ ଉପରେ ରୋକ ଲଗାଇଛନ୍ତି। ଆଜି ହାଇକୋର୍ଟ ନିର୍ଦ୍ଦେଶ ଦାଇଛନ୍ତି ଯେ, ଯେଉଁ ବିଜ୍ଞାପନ ଗୁଡ଼ିକରେ “ପଶ୍ଚିମବଙ୍ଗ ନାଗରିକତା ସଂଶୋଧନ ଆଇନ ଓ ଏନଆରସି ଲାଗୁ କରିବ ନାହିଁ” ବୋଲି ଲେଖାଯାଇଛି, ସେଗୁଡ଼ିକୁ ତୁରନ୍ତ ବନ୍ଦ କରିବାକୁ ଆଜି କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଟିବିଏନ୍ ରାଧାକ୍ରିଷ୍ଣନଙ୍କୁ ନେଇ ଗଠିତ ଡିଭିଜନାଲ ବେଞ୍ଚ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ସିଏଏ ଓ ଏନଆରସି ଲାଗୁ କରାଯିବନାହିଁ ବୋଲି ବିଭିନ୍ନ ଗଣମାଧ୍ୟମରେ ଦିଆଯାଉଥିବା ବିଜ୍ଞାପନ ବିରୋଧରେ ଆଗତ ଏକାଧିକ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଥିଲେ ଯେ “ଆମେ ନୂଆ ନାଗରିକତା ଆଇନ ଓ ଏନଆରସି ପଶ୍ଚିମବଙ୍ଗରେ ଲାଗୁ କରିବାକୁ ଦେବୁନାହିଁ।” ଗୋଟିଏ ପଟେ ବିଜେପି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସାରା ଦେଶରେ ଏନଆରସି ଲାଗୁ କରିବାକୁ ଦମ୍ଭୋକ୍ତି କରୁଥିବା ବେଳେ ମମତା କେନ୍ଦ୍ର ସରକାରଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇଥିଲେ।
ଏହାପରେ ବିଭିନ୍ନ ଗଣମାଧ୍ୟମରେ ଏନଆରସି ଓ ସିଏଏ ଲାଗୁ କରାଯିବ ନାହିଁ ବୋଲି ବିଜ୍ଞାପନ ଛପା ଯାଇଥିଲା। ବେଙ୍ଗଲ ସରକାରଙ୍କ ପକ୍ଷରୁ ଆଡଭୋକେଟ ଜେନେରାଲ କିଶୋର ଦତ୍ତ କହିଛନ୍ତି, ବର୍ତ୍ତମାନ ବିଜ୍ଞାପନ ଗୁଡ଼ିକ କୌଣସି ପ୍ରକାରର ପ୍ରସାରଣ କରାଯାଉ ନାହିଁ। ହେଲେ ଆବେଦନକାରୀ କହିଛନ୍ତି, ଏବେ ବି ବିଜ୍ଞାପନ ଗୁଡ଼ିକ ପଶ୍ଚିମବଙ୍ଗ ପୁଲିସ୍ର ୱେବସାଇଟ୍ରେ ଉପଲବ୍ଧ ରହିଛି। ଏବେ କୋର୍ଟ ଜାନୁଆରୀ ୯ରେ ମାମଲାର ପରବର୍ତ୍ତୀ ଶୁଣାଣି କରିବେ।
Comments are closed.