ଜଙ୍ଗଲରୁ ଉଦ୍ଧାର ହେଲା ଯୁବତୀଙ୍କ ମୃତଦେହ
ପାଇକମାଳ: ବରଗଡ଼ ଜିଲ୍ଲାର ତେମରିମାଲ ଜଙ୍ଗଲରୁ ଆଜି ସକାଳେ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହା ଏକ ପ୍ରେମଜନିତ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସୂଚନା ଅନୁଯାୟୀ, ଆଜି ସକାଳେ ବରଗଡ଼ ଜିଲ୍ଲାର ଝାଡ଼ବନ୍ଧ ପଞ୍ଚାୟତ ଅନ୍ତର୍ଗତ ତେମରିମାଲ ଜଙ୍ଗଲରେ ସ୍ଥାନୀୟ ଲୋକେ ଜଣେ ଯୁବତୀଙ୍କ ମୃତଦେହ ପଡ଼ିଥିବାର ଦେଖିବାକୁ ପାଇଥିଲେ। ସେମାନେ ଉକ୍ତ ଯୁବତୀଙ୍କୁ ଚିହ୍ନି ପାରିଥିଲେ। ସେ ହେଲେ ତେମରିମାଲ ଗାଁର ଲଭବତୀ ଏଣ୍ଡଜା। ତାଙ୍କର ବୟସ ୧୯ ବର୍ଷ। ଏହାପରେ ଲୋକେ ଲଭବତୀଙ୍କ ପରିବାରକୁ ଏସଂପର୍କରେ ସୂଚନା ଦେଇଥିଲେ।
ଖବର ପାଇ ଘଟଣାସ୍ଥଳରେ ପାଇକମାଳ ଥାନା ଅଧିକାରୀ ବିଶ୍ବଜିତ ମନବୋଧ ଏବଂ ପଦ୍ମପୁର ଏସଡିପିଓ ପ୍ରଦୀପ କୁମାର ସାହୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସେଠାକୁ ବୈଜ୍ଞାନିକ ଦଳ ଆସୁଥିବାର ସୂଚନା ମିଳିଛି। ବୈଜ୍ଞାନିକ ଦଳର ତଦନ୍ତ ପରେ ଶବ ବ୍ୟବଛେଦ ଲାଗି ପଠାଯିବ ବୋଲି ଜଣାଯାଇଛି। ଏଯାଏଁ ହତ୍ୟାକାଣ୍ଡର କାରଣ ସଂପର୍କରେ ଠିକ୍ ସୂଚନା ମିଳି ନ ଥିଲେ ବି ଏହା ଏକ ହତ୍ୟାକାଣ୍ଡ ବୋଲି ସେହି ଅଞ୍ଚଳରେ ଚର୍ଚ୍ଚା ହେଉଛି।
Comments are closed.