ରାହୁଲ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମଝିରାସ୍ତାରୁ ଫେରାଇ ଦେଲା ୟୁପି ପୁଲିସ୍
ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀଙ୍କୁ ମିରଟ ସହରକୁ ଯିବାକୁ ଅନୁମତି ଦେଲାନି ଉତ୍ତର ପ୍ରଦେଶ ପୁଲିସ୍। ନାଗରିକତା ସଂଶୋଧନ ଆଇନ୍ (ସିଏଏ) ବିରୋଧୀ ଆନ୍ଦୋଳନ କାଳରେ ମିରଟରେ ପୁଲିସ୍ ଗୁଳିରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କର ନିକଟ ସଂପର୍କୀୟମାନଙ୍କୁ ଭେଟି ସେମାନଙ୍କୁ ସମବେଦନା ଜଣାଇବା ପାଇଁ ରାହୁଲ ଓ ପ୍ରିୟଙ୍କା ଗୋଟିଏ ଗାଡ଼ିରେ ମିରଟ ଅଭିମୁଖେ ଯାଉଥିବା ବେଳେ ରାଜଦାନୀ ଦିଲ୍ଲୀରୁ ୫୦ କିଲୋମିଟର ଦୂର ପାତ୍ରପୁର ଅଞ୍ଚଳରେ ୟୁପି ପୁଲିସ୍ ସେମାନଙ୍କୁ ମଝି ବାଟରେ ଅଟକାଇ ଦେଇଥିଲା।
କିଛି ସମୟ ପାଇଁ ମୀରଟର ପ୍ରବେଶ ପଥରେ ପୁଲିସ୍ ଓ ରାହୁଲ-ପ୍ରିୟଙ୍କା ଯୋଡ଼ିଙ୍କ ମଧ୍ୟରେ କଥାକଟାକଟି ହୋଇଥିଲା। ଶେଷରେ ପୁଲିସ୍ ନିଜ ଜିଦରେ ଅଟଳ ରହିଥିଲା। ଫଳରେ ଉଭୟଙ୍କୁ ଫେରିବାକୁ ପଡ଼ିଛି।
ପୁଲିସ୍ ଅନୁମତି ନ ଦେବାରୁ କଂଗ୍ରେସ ନେତା ଇମ୍ରାନ ମାସୁଦ ରାହୁଲ ଓ ପ୍ରିୟଙ୍କାଙ୍କ ପାଇଁ ଫୋନର ବ୍ୟବସ୍ଥା କରିଥିଲେ। ଉଭୟ ଫୋନ ଯୋଗେ ଆନ୍ଦୋଳନରେ ପ୍ରାଣ ହରାଇଥିବା ଲୋକଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। କଂଗ୍ରେସ ସର୍ବଦା ଲୋକଙ୍କ ସହ ରହିଛି ବୋଲି ଉଭୟ ପୀଡ଼ିତ ପରିବାରକୁ କହିଥିବା ଜଣାପଡ଼ିଛି।
Comments are closed.