Odisha Link
Bridging the Missing Links in Odisha

ରାୟଗଡ଼ା: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଆଖି ବୁଜିଲେ ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ

ରାୟଗଡ଼ା: ଗତକାଲି ବିଳମ୍ବିତ ରାତିରେ ରାମନାଗୁଡ଼ା-ଗୁଣୁପୁର ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ହୋଇଛି। ଯେଉଁଥିରେ ରାୟଗଡ଼ା ଜିଲ୍ଲା ପରିଷଦର ପୁର୍ବତନ ଅଧ୍ୟକ୍ଷଙ୍କ ପରଲୋକ ଘଟିଛି। ପୁରୁଷୋତ୍ତମ ଗମାଙ୍ଗ ଗତକାଲି (ମଙ୍ଗଳବାର)ବିଳମ୍ବିତ ରାତିରେ କୋର୍ଟରୁ ଘରକୁ ଫେରିବା ସମୟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁରୁଷୋତ୍ତମ ଗମାଙ୍ଗଙ୍କୁ ସ୍ଥାନୀୟଲୋକେ ଗୁରୁତର ଅବସ୍ଥାରେ ରାସ୍ତାରୁ ଉଦ୍ଧାର କରି ଶ୍ରୀକାକୁଲମ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ବୁଧବାର ସକାଳୁ ତାଙ୍କୁ ମୃତ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ୨୦୧୭ ମାର୍ଚ୍ଚ ୧୨ ତାରିଖରେ ହୋଇଥିବା ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦବୀ ଓ ନିର୍ବାଚନକୁ ରାୟଗଡ଼ା ଜିଲ୍ଲା ଦୌରାଜଜ୍‌ ସୋମ ଶେଖର ଜେନା ପୁଣି ଅସିଦ୍ଧ ଘୋଷଣା କରିଥିଲେ। ସେପଟେମ୍ବର ମାସରେ ଏହି ମାମଲାର ଶୁଣାଣିରେ ହାଇକୋର୍ଟ କଂଗ୍ରେସ ସପକ୍ଷରେ ମତ ଦେବା ସହ ତଳକୋର୍ଟରେ ନିଜର ମତ ରଖିବାକୁ ଅଧ୍ୟକ୍ଷ ପୁରୁଷୋତ୍ତମ ଗମାଙ୍ଗଙ୍କୁ ନିର୍ଦେଶ ଦେଇଥିଲେ।

ହାଇକୋର୍ଟଙ୍କ ନିର୍ଦେଶ ଅନୁସାରେ ଜିଲ୍ଲା ଜଜ୍‌ ମାମଲାର ପୁନଃ ଶୁଣାଣି କରି ଗତକାଲି ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନ ଓ ପଦକୁ ଅସିଦ୍ଧ ଘୋଷଣା କରିବା ସହ ତୁରନ୍ତ ନିର୍ବାଚନ କରି ନୂତନ ଅଧ୍ୟକ୍ଷ ଚୟନ ପାଇଁ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ତେବେ ପଦ ଯିବାର ୨୪ ଘଣ୍ଟା ନପୁରୁଣୁ ରାୟଗଡ଼ା ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଖବର ପାଇବା ପରେ ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।

Comments are closed.