ଶ୍ରୀମନ୍ଦିର ଚର୍ତୁପାର୍ଶ୍ବ ଐତିହ୍ୟ ସୁରକ୍ଷା ପାଇଁ ୩୦୦ କୋଟି
ପୁରୀ : ଶ୍ରୀମନ୍ଦିରର ଐତିହ୍ୟକୁ ସୁରକ୍ଷା ଦେବା ଏବଂ ପୁରୀର ପର୍ଯ୍ୟଟନର ବିକାଶ ପାଇଁ ଓଡ଼ିଶା ସରକାର ଜରୁରୀକାଳୀନ ପାଣ୍ଠିରୁ ୩୦୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଅବଢା ଯୋଜନାରେ ଶ୍ରୀମନ୍ଦିର ଚାରିପଟେ ତିଆରି ହେବାକୁ ଥିବା ହେରିଟେଜ୍ ସିକ୍ୟୁରିଟି ଜୋନ ବା ଐତିହ୍ୟ ସୁରକ୍ଷା କ୍ଷେତ୍ର ପାଇଁ ଏହି ଟଙ୍କା ବ୍ୟୟ କରାଯିବ। ଲୋକଙ୍କୁ ଜମି ଅଧିଗ୍ରହଣ ବାବଦ କ୍ଷତିପୂରଣ ମଧ୍ୟ ଏହି ପାଣ୍ଠିରୁ ପ୍ରଦାନ କରାଯିବ। ମଞ୍ଜୁର ହୋଇଥିବା ୩୦୦ କୋଟି ଟଙ୍କାର ଅଗ୍ରୀମ ରାଶି ପୁରୀର ପୂର୍ତ୍ତ ବିଭାଗ ଡିଭିଜନର କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କୁ ପଠାଯାଇଛି। ଏ ସଂପର୍କରେ ଅର୍ଥ ବିଭାଗର ଅତିରିକ୍ତ ସଚିବ ତଥା ଅର୍ଥ ପରାମର୍ଶଦାତା ଏସ.କାନୁନଗୋ ଆକାଉଣ୍ଟାଣ୍ଟ ଜେନେରାଲଙ୍କୁ ପତ୍ର ଲେଖି ସୂଚୀତ କରିଛନ୍ତି।
ଉଲ୍ଲେଖଯୋଗ୍ୟ, ପୁରୀକୁ ଏକ ଐତିହ୍ୟ ସହରଭାବେ ଗଢିତୋଳିବା ନିମନ୍ତେ ରାଜ୍ୟ ସରକାର ୩ ବର୍ଷରେ ୩୨୦୮ କୋଟି ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ଏହା ମଧ୍ୟରୁ ୨୦୧୯-୨୦ ପାଇଁ ୭୧୯ କୋଟି, ୨୦୨୦-୨୧ ପାଇଁ ୧୪୦୨ କୋଟି ଓ ୨୦୨୧-୨୨ ପାଇଁ ୧୦୮୭ କୋଟି ଟଙ୍କା ବ୍ୟୟ ଅଟକଳ ଧାର୍ଯ୍ୟ କରାଯାଇଛି। ଏହି ଅଧିନରେ ଏକ ହେରିଟେଜ୍ ସିକ୍ୟୁରିଟି ଜୋନର ନିର୍ମାଣ, ଶ୍ରୀସେତୁ ନିର୍ମାଣ, ମୁଷା ନଦୀର ପୁନରୁଦ୍ଧାର, ରଘୁନନ୍ଦନ ପାଠାଗାରର ନବୀକରଣ, ଅଠରନଳାର ନବୀକରଣ ଆଦି ପ୍ରକଳ୍ପ ରହିଛି। ଏସବୁ ଯୋଜନା ମାଧ୍ୟମରେ ପୁରୀକୁ ଏକ ବିଶ୍ୱସ୍ତରୀୟ ଧାର୍ମିକ ଐତିହ୍ୟ ସହରରେ ପରିଣତ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
Comments are closed.