ଏଥର ଘରୋଇ ମାଟିରେ ଖେଳିବ ଓଡ଼ିଶା ଏଫସି
ଭୁବନେଶ୍ୱର : ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡ଼ିୟମ୍ ରେ ଓଡ଼ିଶା ଏଫସି ପ୍ରଥମ ଥର ପାଇଁ ହିରୋ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ମ୍ୟାଚ୍ ଖେଳିବାକୁ ଯାଉଛି । ଆସନ୍ତା ୨୭ ତାରିଖ ଶୁକ୍ରବାର ସନ୍ଧ୍ୟା ୭ଟା ୩୦ ରେ ଘରୋଇ ଓଡ଼ିଶା ଏଫସି ଏବଂ ଜାମସେଦପୁର ଏଫସି ମଧ୍ୟରେ ଏହି ମ୍ୟାଚ୍ ଖେଳାଯିବ ।
ଏଥିପାଇଁ କଳିଙ୍ଗ ଷ୍ଟାଡିୟମରେ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ଆଇଏସ୍ଏଲ୍ ରେ ଓଡ଼ିଶା ଏଫସି ତାର ପ୍ରଥମ ୯ଟି ମ୍ୟାଚ୍ ଭୁବନେଶ୍ୱର ବାହାରେ ଖେଳିବା ପରେ ଏଥର ପ୍ରଥମ ଥର ପାଇଁ ଘରୋଇ ମାଟିରେ ଖେଳିବ ।
ଖେଳାଳିମାନଙ୍କୁ ଘରୋଇ ମାଟି ନିଶ୍ଚୟ ସୁହାଇବ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି । ଏହାଛଡ଼ା ଘରୋଇ ମାଟିରେ ଖେଳିବା ପାଇଁ ଉଭୟ ଖେଳାଳି ଏବଂ ଟିମ୍ କର୍ତ୍ତୃପକ୍ଷ ବେଶ୍ ଉତ୍ସାହିତ ଅଛନ୍ତି । ଓଡ଼ିଶା ଏଫସି ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ସେବା ବିଭାଗ ତରଫରୁ ମଧ୍ୟ ସପୂଂର୍ଣ୍ଣ ସହଯୋଗ ପାଇଛି ।
ଅନ୍ୟ ସମସ୍ତ ଖେଳ ଭଳି ରାଜ୍ୟ ସରକାର ଫୁଟବଲର ଉନ୍ନତି ପାଇଁ ଚିନ୍ତା କରିଛନ୍ତି ଏବଂ କ୍ଲବକୁ ସମସ୍ତ ପ୍ରକାର ସହଯୋଗର ହାତ ବଢେଇଛନ୍ତି । ଏହି ମୁକାବିଲା ପୂର୍ବରୁ ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କୁହନ୍ତି,‘ଓଡ଼ିଶାର ନିଜସ୍ୱ ଆଇଏସ୍ଏଲ୍ ଦଳ ଘରୋଇ ମାଟିରେ ତା’ର ପ୍ରଥମ ମ୍ୟାଚ୍ ଖେଳିବାକୁ ଯାଉଛି ଏବଂ ଏହା ଆମ ସମସ୍ତଙ୍କୁ ଉତ୍ସାହିତ କରିଛି ।
ମ୍ୟାଚ୍ ପାଇଁ କଳିଙ୍ଗ ଷ୍ଟାଡିୟମ୍ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ, ଏବଂ ଏହି ମଇଦାନରେ ଘରୋଇ ଦଳ ଏଥର ୬ଟି ମ୍ୟାଚ୍ ଖେଳିବ । ଓଡ଼ିଶାର ସମସ୍ତଙ୍କ କ୍ରୀଡ଼ା ପ୍ରେମୀମାନଙ୍କୁ ମୁଁ ଅନୁରୋଧ କରୁଛି ଯେ, ସେମାନେ ବହୁତ ସଂଖ୍ୟାରେ ଆସି ଆମ ନିଜ ଟିମ୍ ଓଡ଼ିଶା ଏଫସିକୁ ଉତ୍ସାହିତ କରନ୍ତୁ ।
ଏହାଛଡ଼ା ଘରୋଇ ଦଳକୁ ମଧ୍ୟ ଚଳିତ ଲିଗ୍ ପାଇଁ ମୁଁ ଶୁଭକାମନା ଜଣାଉଛି ।’ ତେବେ ଘରୋଇ ମାଟିରେ ଖେଳିବା ପୂର୍ବରୁ ଓଡ଼ିଶା ଏଫସି ର ମିଡଫିଲଡର୍ ଭିନିତ୍ ରାଏ କୁହନ୍ତି, ‘ଗ୍ରାଉଣ୍ଡ୍ ଭିତରେ ଆମେ ନିଶ୍ଚିତ ଭାବେ ଭଲ ଖେଳିବାକୁ ଚେଷ୍ଟା କରିବୁ । କିନ୍ତୁ ଷ୍ଟାଡିୟମରେ ଦର୍ଶକଙ୍କ ଉପସ୍ଥିତି ଆମକୁ ଆହୁରି ବେଶୀ ଉତ୍ସାହିତ କରିବ ଏବଂ ଭଲ ଖେଳିବାକୁ ପ୍ରେରଣା ଦେବ । ସେଥିପାଇଁ ମୁଁ ଚାହେଁ ଯେ, ଅଧିକରୁ ଅଧିକ ସଂଖ୍ୟାରେ ଦର୍ଶକମାନେ ଆସି ଏହି ମ୍ୟାଚ୍ ପାଇଁ ଏବଂ ପୂରା ସିଜନ୍ ପାଇଁ ଆମକୁ ସମର୍ଥନ କରନ୍ତୁ ।’
ଓଡ଼ିଶା ଏଫସିର ସିଇଓ ଆଶିଷ ସାହ ମଧ୍ୟ ଭୁବନେଶ୍ୱରରେ ଖେଳାଯିବାକୁ ଥିବା ମ୍ୟାଚ୍ ପୂର୍ବରୁ ଖୁସି ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି ଯେ, ଆମେ ଏପର୍ଯ୍ୟନ୍ତ ସବୁ ମ୍ୟାଚ୍ ଭୁବନେଶ୍ୱର ବାହାରେ ଖେଳିଛୁ । ହେଲେ ଏବେ ଆମେ ନିଜ ମାଟିରେ ନିଜ ସମର୍ଥକମାନଙ୍କ ସାମ୍ନାରେ ମ୍ୟାଚ୍ ଖେଳିବାକୁ ଯାଉଛୁ ।
ଏଥିପାଇଁ ଉଭୟ ଖେଳାଳି ଏବଂ ଟିମ୍ ମ୍ୟାନେଜମେଣ୍ଟ୍ ବେଶ୍ ଖୁସି । ଆଶା କରୁଛୁ ଓଡ଼ିଶାରେ କ୍ରୀଡ଼ା ପ୍ରେମୀମାନେ ବିପୁଳ ସଂଖ୍ୟାରେ ମ୍ୟାଚ୍ ଦେଖିବାକୁ ଆସି ଆମ ଖେଳାଳି ମାନଙ୍କୁ ନିଶ୍ଚୟ ଉତ୍ସାହିତ କରିବେ । ଏଠାରେ ସୂଚନା ଥାଉକି, ଦର୍ଶକମାନଙ୍କ ପାଇଁ ପେଟିଏମ୍ ଇନସାଇଡର ଅନଲାଇନ ଟିକେଟ୍ ଉବଲବ୍ଧ ଅଛି । ଏହାଛଡ଼ା କଳିଙ୍ଗ ଷ୍ଟାଡିୟମ୍ ରେ ୪ ନମ୍ବର ଗେଟ୍ ରେ ମଧ୍ୟ ଦର୍ଶକମାନେ ମ୍ୟାଚ ଟିକେଟ୍ ପାଇପାରିବେ ।
Comments are closed.