ବଢିବ ଇସ୍ପାତ ଦର

ମୁମ୍ବାଇ : ଦେଶରେ ଇସ୍ପାତ ଚାହିଦା ଦିନକୁ ଦିନ ବଢ଼ିବାରେ ଲାଗିଛି। ସେଥିପାଇଁ ଆସନ୍ତା ଜାନୁଆରି ମାସରେ ଇସ୍ପାତ ଦର ଟନ୍ ପିଛା ୧୦୦୦ ଟଙ୍କା ବଢ଼ିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଭାରତରେ ଉଭୟ ଭିତ୍ତିଭୂମି ଓ ଅଟୋମୋବାଇଲ୍ ଶିଳ୍ପରେ ଇସ୍ପାତ ଚାହିଦା ବଢ଼ିଛି। ଏହାକୁ ନଜରରେ ରଖି କଂପାନିଗୁଡ଼ିକ ଇସ୍ପାତ ମୂଲ୍ୟରେ ଗତ ଦୁଇ ମାସରେ ଲଗାତାର ୨ ଥର ବୃଦ୍ଧି କରିଥିଲେ। ଆସନ୍ତା ଜାନୁଆରିରେ ମଧ୍ୟ ହଟ୍-ରୋଲଡ୍ କଏଲ୍ର ଟନ୍ ପିଛା ଦାମ୍ ୭୦୦-୧୦୦୦ ଟଙ୍କା ବୃଦ୍ଧି ପାଇବ।
ଗତ ନଭେମ୍ବରରେ ଇସ୍ପାତର ଟନ୍ ପିଛା ଦାମ୍ ୫୦୦-୭୦୦ ଟଙ୍କା ବୃଦ୍ଧିପାଇଥିଲା । ଏହା ପରେ ଚଳିତ ମାସରେ ପୁଣି ଥରେ ଦର ୭୫୦-୧୦୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଥିଲା। ଗତବର୍ଷ ଇସ୍ପାତର ଟନ୍ ପିଛା ଦର ୪୫ ହଜାର ଟଙ୍କା ଭଳି ସର୍ବୋଚ୍ଚ ସ୍ତରରେ ପହଞ୍ଚିଯାଇଥିଲା। ଏହା ପରେ ଏପ୍ରିଲ୍ରୁ ଏହାର ଦର ହ୍ରାସ ଘଟିଥିଲା। ଗତ ସେପ୍ଟେମ୍ବର ବେଳକୁ ଏକ ଟନ୍ ଇସ୍ପାତର ମୂଲ୍ୟ ୩୨,୫୦୦ ଟଙ୍କାକୁ ଖସିଯାଇଥିଲା। କେବଳ ଭାରତ ନୁହେଁ ବିଶ୍ବ ସ୍ତରରେ ମଧ୍ୟ ଇସ୍ପାତ ଦାମ୍ ବଢ଼ିବା ଆରମ୍ଭ ହୋଇଛି। ଆନ୍ତର୍ଜାତିକ ବଜାରରେ ଇସ୍ପାତ ଦାମ୍ ୬୦-୭୦ ଡଲାର (୪୨୦୦-୪୯୦୦ ଟଙ୍କା) ବଢ଼ିଛି।
Comments are closed.