ବିଜେଡି ମୋ ଉପରେ ନିର୍ଭରଶୀଳ ନୁହେଁ : ନବୀନ
ଭୁବନେଶ୍ବର: ବିଜେଡ଼ିର ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସଭାପତି ନବୀନ ପଟ୍ଟନାୟକ କର୍ମୀମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନବୀନ କହିଛନ୍ତିଯେ, ଜାତିର ପିତା ମହାତ୍ମାଗାନ୍ଧୀ ଲୋକଙ୍କ ଭିତରେ ସେବା ମନୋଭାବର ବିକାଶ ପାଇଁ ଆମକୁ ଦେଇଥିବା ମନ୍ତ୍ର ବିଷୟରେ ଆପଣମାନେ ଜାଣନ୍ତି । ଗାନ୍ଧୀଜୀଙ୍କର ଏହି ମନ୍ତ୍ର ସାରା ମାନବ ଜାତି ପାଇଁ ଓ ସବୁ ସମୟ ପାଇଁ ଆଦର୍ଶ ହୋଇ ରହିଛି ଓ ରହିଥିବ । ଗାନ୍ଧୀଜୀଙ୍କ ୧୫୦ ତମ ଜନ୍ମବାର୍ଷିକୀ ଅବସରରେ ନମ୍ରତାର ସହ ଆଉ ଏକ ମନ୍ତ୍ର ମୁଁ ଆପଣଙ୍କ ପାଖରେ ରଖୁଛି । ଓଡ଼ିଶାର ସାଢେ଼ ୪ କୋଟି ଭାଇଭଉଣୀ ହେଉଛନ୍ତି ଆମର ପରିବାର । ଭୋଟ ଜରିଆରେ ସେମାବେ ଆମକୁ ଦେଇଥିବା ଦାୟିତ୍ୱ କ୍ଷମତା ନୁହେଁ । ଆମ ପରିବାର ସେବା ପାଇଁ ଏହା ଏକ ମହାନ ସୁଯୋଗ । ଏହି ଭାବନା ନେଇ ଆମେ ସମସ୍ତେ କାମ କରୁଛୁ । ସାଢେ଼ ୪ କୋଟି ଭାଇଭଉଣୀ ଆମକୁ ଦେଇଥିବା ଦାୟିତ୍ୱକୁ ଆମେ ନମ୍ରତା ଓ ସାଧୁତାର ସହ ପାଳନ କରିଆସୁଛୁ । ନିର୍ବାଚନରେ ଜିତିବା ପାଇଁ ଆମେ କାମ କରୁନାହୁଁ । ସେବାଦ୍ୱାରା ଲୋକଙ୍କ ହୃଦୟ ଜିତିବା ଆମର ଲକ୍ଷ୍ୟ । ଏଥିପାଇଁ ଆମେ ୩୬୫ ଦିନ କାମ କରୁଛୁ । ଏହି ନୀତିକୁ ଅନୁସରଣ କରି ବିଜୁ ଜନତା ଦଳ ଆଜି ଓଡ଼ିଶାର ବିକାଶର ପରିଚୟ ହୋଇପାରିଛି । ଲୋକଙ୍କ ଆଶା ଓ ଭରସାର ପ୍ରତୀକ ହୋଇପାରିଛି ।
ସାଢେ଼ ୪ କୋଟି ଓଡ଼ିଆଙ୍କ ସେବା ପାଇଁ ଏହା ଏକ ଆନେ୍ଦାଳନ । ସଶକ୍ତିକରଣ ପାଇଁ ଏକ ଆନେ୍ଦାଳନ । ସାଢେ଼ ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିକାଶକୁ ନେଇ ଚାଲିଥିବା ଏକ ଆନେ୍ଦାଳନ ବୋଲି ନବୀନ କହିଥିଲେ । ଦଳର ପ୍ରତିଷ୍ଠା ଅବସରରେ ଆମର କୋଟି କୋଟି କର୍ମୀ ଭାଇଭଉଣୀମାନଙ୍କୁ ମୋର ଶୁଭେଚ୍ଛା ଜଣାଉଛି । ଆପଣମାନଙ୍କ ତ୍ୟାଗ, ନିଷ୍ଠା ଓ ପରିଶ୍ରମ ଅମ୍ଲଜାନ ପରି ଦଳକୁ ଶକ୍ତି ଯୋଗାଇଛି । ଆପଣଙ୍କ ତ୍ୟାଗ ଦଳକୁ ମଜବୁତ କରିଛି ।
Comments are closed.