ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାର : ଦିଲ୍ବାଗ ସିଂହ
ଶ୍ରୀନଗର : ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଖୋଜି ଖୋଜି ମାରିବା ପାଇଁ ଜାମ୍ମୁ ଓ କାଶ୍ମୀରର ପୁଲିସ ମହାନିର୍ଦ୍ଦେଶକ ଦିଲ୍ବାଗ ସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ତଲାସୀ ଓ ଘେରାବନ୍ଦୀ ଅଭିଯାନକୁ ଜୋର୍ଦାର କରିବାକୁ ସେ କହିଛନ୍ତି। ଅସ୍ଥିରତା ସୃଷ୍ଟିକାରୀ ଗତିବିଧି ବ୍ୟତୀତ ଯେକୌଣସି ବିପରୀତ ପରିସ୍ଥିତିର ମୁକାବିଲା ପାଇଁ ସାମୁହିକ ଉଦ୍ୟମ କରିବାକୁ ଶ୍ରୀ ସିଂହ ଆହ୍ୱାନ ଦେଇଛନ୍ତି । ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଓ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କ ସହିତ ଜାମ୍ମୁ ଓ କାଶ୍ମୀରର ନିରାପତ୍ତା ପରିସ୍ଥିତି ସମ୍ପର୍କରେ ଏକ ଉଚ୍ଚସ୍ତରୀୟ ବୈଠକ ପରେ ଡିଜି ଶ୍ରୀ ସିଂହ ଏହି ବିବୃତ୍ତି ଦେଇଛନ୍ତି।
ଶ୍ରୀନଗରସ୍ଥିତ ପୁଲିସ ନିୟନ୍ତ୍ରଣକକ୍ଷଠାରେ ଆୟୋଜିତ ଏକ ବୈଠକରେ ଅଧ୍ୟକ୍ଷତା କରି ଦୈନନ୍ଦିନ କାର୍ଯ୍ୟରେ ଆଇନ୍କୁ ପାଳନ କରୁଥିବା ଲୋକମାନେ ଯେପରି ଅସୁବିଧାରେ ନପଡନ୍ତି ତାହା ସୁନିଶ୍ଚିତ କରିବା ପାଇଁ ଶ୍ରୀ ସିଂହ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଜନସାଧାରଣଙ୍କର ସହଯୋଗ ଅତ୍ୟନ୍ତ ଜରୁରୀ ଏବଂ ଗୋଷ୍ଠୀଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକୁ ଅଗ୍ରାଧିକାର ଦେବାଦ୍ୱାରା ଅଧିକରୁ ଅଧିକ ଲୋକେ ଏହି ଅଭିଯାନକୁ ସମର୍ଥନ ଯୋଗାଇବେ। ଜନସାଧାରଣଙ୍କ ପକ୍ଷରୁ ଯେତେବେଳେ ଯେକୌଣସି ସାହାଯ୍ୟ ଓ ସହଯୋଗର ଆବଶ୍ୟକତା ପଡିବ ସେତେବେଳେ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇଦେବା ପାଇଁ ସେ ପୁଲିସ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଭ୍ୟନ୍ତରୀଣ ସୁରକ୍ଷା ଜଡିତ ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ବୈଠକରେ ସିଆଇଡିର ଏଡିଜିପି ବି. ଶ୍ରୀନିବାସ,କଶ୍ମୀର ଆଇଜିଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
Comments are closed.