ଗ୍ରାମାଂଚଳରେ ନୂତନ ପାଠାଗାର ସ୍ଥାପନର ଗୁରୁତ୍ୱ ରହିଛି ; ରଘୁନନ୍ଦନ
ଭୁବନେଶ୍ୱର : ରାଜ୍ୟ ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ବାଲିକୁଦା ବ୍ଲକର ଅଢଙ୍ଗା ଗ୍ରାମସ୍ଥିତ “ଦିବାକର ଦାସ ସ୍ମାରକୀ ପାଠାଗାର”କୁ ଉଦଘାଟନ ଭାବେ ଯୋଗଦେଇ ଲୋକାର୍ପିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ଦାସ କହିଲେ ଯେ, ଏହି ଭଳି ପାଠାଗାର ସ୍ଥାପନ ଗ୍ରାମାଂଚଳରେ ପାଠାଗାର ଆନ୍ଦୋଳନକୁ ଉତ୍ସାହିତ କରିବ ।
ଏ ଦିଗରେ ବିଭିନ୍ନ ଅଂଚଳର ଜନପ୍ରତିନିଧି ଓ ଆଗ୍ରହୀ ବ୍ୟକ୍ତିମାନେ ଆଗେଇ ଆସିବାକୁ ମନ୍ତ୍ରୀ ଦାସ ଗୁରୁତ୍ୱାରୋପ କରିଥିଲେ । ଘରୋଇ ଉଦ୍ୟମରେ ସ୍ଥାପିତ ଏହି ପାଠାଗାରର ଉଦଘାଟନୀ ଦିବସରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ସ୍ୱାଇଁ ଅଧ୍ୟକ୍ଷତା କରିଥିଲେ ।
ଏଥିରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ବରଦା ପ୍ରସନ୍ନ ଦାସ ଯୋଗଦେଇ କହିଲେ ଯେ, ପାଠାଗାର ଜ୍ଞାନ ବୃଦ୍ଧିରେ ସହାୟକ ହୋଇଥାଏ । ତତ୍ ସହିତ ଆଧ୍ୟାତ୍ମିକ ପୁସ୍ତକ ଓ ପୁରାତନ ପୁସ୍ତକର ଅଧ୍ୟୟନ ଦ୍ୱାରା ସମାଜ ଅଧିକ ଶୃଙ୍ଖଳିତ, ଶିକ୍ଷିତ ହୋଇପାରିବ ବୋଲି ଦାସ କହିଥିଲେ ।
ଏହି ଅବସରରେ ମନ୍ତ୍ରୀ ଦାସ ପାଠାଗାରର ସ୍ମରଣିକା “ସ୍ମୃତି ଅର୍ଘ୍ୟ”କୁ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବେ ବିଜେବି କଲେଜର ପ୍ରଫେସର ପ୍ରେମାନନ୍ଦ ମହାପାତ୍ର, ସମ୍ମାନନୀୟ ବକ୍ତା ଭାବେ ପ୍ରଫେସର ଯୁଧିଷ୍ଠିର ଖଟୁଆ , ସମ୍ମାନିତ ଅତିଥି ଭାବେ ବାଲିକୁଦା ପଂଚାୟତ ସମିତି ଅଧ୍ୟକ୍ଷ ମଧୁସ୍ମୃତି ସାହୁ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ଦିବାକର ଦାସଙ୍କ ସ୍ମୃତି ଚାରଣ କରିବା ସହିତ ପାଠାଗାରର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଢଙ୍ଗା ପଂଚାୟତ ସମିତି ସଭ୍ୟ ଜଟାଧାରୀ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ସଭାରେ ବହୁ ସଂଖ୍ୟାରେ ଜନସାଧାରଣ, ପାଠକ ପାଠିକା, ଶିକ୍ଷକ ଓ ଜନପ୍ରତିନିଧି ଯୋଗଦାନ କରିଥିଲେ ।
Comments are closed.