Odisha Link
Bridging the Missing Links in Odisha

ଦୁଇ ଦିନ ପରେ ପୁଣି ବଢ଼ିବ ଶୀତ

ଭୁବନେଶ୍ବର: ରାଜ୍ୟରେ ଲାଗି ରହିଛି କୋହଲା ପାଗ। କାଁ ଭାଁ ଗୋଟିଏ ଦୁଇଟି ସ୍ଥାନକୁ ଛାଡ଼ିଦେଲେ ଆଜି ସାରା ରାଜ୍ୟରେ ଝିପିଝିପି ବର୍ଷା ହୋଇଛ । ଏଭଳି ସ୍ଥିତି ଆଉ ଦୁଇ ଦିନ ଲାଗିରହିବ। ୫ ତାରିଖଠାରୁ ପୁଣି ଶୀତ ଲେଉଟିବ। ବର୍ତମାନର ସର୍ବନିମ୍ନ ତାପମାତ୍ରା ଯେତିକି ରହୁଛି, ତା’ଠାରୁ ୩ରୁ ୪ ଡିଗ୍ରି କମିବ । ଦିନର ତାପମାତ୍ରା ବି ସାମାନ୍ୟ କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ବିଭ‌ାଗ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ମଧ୍ୟାହ୍ନ ସୁଦ୍ଧା ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ, ବୌଦ୍ଧ, ସୋନପୁର, ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ କୁଆପଥର ବର୍ଷା ହୋଇପାରେ। ଏଥିସହ ବରଗଡ଼, ସମ୍ବଲପୁର, ‌ଢେଙ୍କାନାଳ, ଭଦ୍ରକ, ରାୟଗଡ଼ା, ଗଜପତି ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ଓ ବଜ୍ରପାତ ହେବାର ସମ୍ଭାବନା ରହିଛି । ଶନିବାର ପୂର୍ବାହ୍ନ ପର୍ଯ୍ୟନ୍ତ କନ୍ଧମାଳ, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ଗଜପତି, ଭଦ୍ରକ, ବାଲେଶ୍ବର, ଅନୁଗୁଳ, କଟକ, ଖୋର୍ଧା ଓ ମୟୂରଭଞ୍ଜ ଜିଲ୍ଲାର କେତେକ ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ଝଡ଼ ହୋଇପାରେ । ଏହାପରେ ପାଗରେ ପରିବର୍ତନ ଆସିବ।
ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ ବର୍ଷା ପରିମାଣ କମ୍ ରହିବ। ୩ ତାରିଖରେ ମେଘୁଆ ପାଗ ରହିବ। ଭୁବନେଶ୍ବର ସମେତ ଦକ୍ଷିଣ ଓଡ଼ିଶାରେ ସ୍ବଳ୍ପ ଧରଣର ବର୍ଷା ହୋଇପାରେ । ଅନ୍ୟ ଅଞ୍ଚଳରେ ହାଲୁକା ବର୍ଷା ହେବା ସହ ପାଗ କୋହଲା ରହିବ । ଦୁଇଟି କାରଣ ପାଇଁ ପାଗରେ ପରିବର୍ତନ ଆସିଛି। ପ୍ରଥମତଃ ଆରବ ସାଗରୀୟ ପବନ ରାଜ୍ୟକୁ ବହିବ ବୋଲି ଆକଳନ କରାଯାଉଥିଲା । ଯେଉଁଥିରେ ଜଳୀୟ ବାସ୍ପ ଅଧିକ ଥିବ। ଯାହାକି ବର୍ଷା କରାଇବାରେ ସହାୟକ ହେବ । ଦ୍ବିତୀୟତଃ ଉତ୍ତରା ଥଣ୍ଡା ପବନ କିଛି ମାତ୍ରାରେ ଉତ୍ତର ଓଡ଼ିଶାକୁ ଆସିବାର ସମ୍ଭାବନା ରହିଥିଲା । କିନ୍ତୁ ଜଣାପଡ଼ିଛି ଯେ ଗୁରୁଚାପ ବଳୟ କମ୍‌ ଶକ୍ତିଶାଳୀ ଥିବାରୁ ରାଜ୍ୟକୁ ଉତ୍ତରା ଥଣ୍ଡା ପବନ ସିଧା ବହୁଛି । ବଙ୍ଗୋପସାଗରୀୟ ପବନ ଦକ୍ଷିଣ ଓଡ଼ିଶା ଦେଇ ବଙ୍ଗୋପସାଗରକୁ ବହୁଛି। ଫଳରେ ଓଡ଼ିଶା ସଂଲଗ୍ନ ବଙ୍ଗୋପଗସାଗରରେ ପ୍ରବଳ ବର୍ଷା ହେବ। ରାଜ୍ୟରେ ବର୍ଷାର ପରିମାଣ ହାଲୁକାରୁ ସ୍ବଳ୍ପ ରହିବ । ଆସନ୍ତା ୫ ଓ ୬ ତାରିଖରେ ଥଣ୍ଡା ବଢ଼ିବ । ୭ରେ ପବନର ଦୀଗ ପରିବର୍ତନ ହେତୁ ଥଣ୍ଡା କମିବ ।
ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝରରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୯.୬ ଡିଗ୍ରି ରେକର୍ଡ କରାଯାଇଛି। ଅନ୍ୟ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ଉପରେ ରହିଥିଲା। ଚାନ୍ଦବାଲିରେ ସର୍ବାଧିକ ୪.୮ ମିମି ବର୍ଷା ହୋଇଥିବା ବେଳେ କୋରାପୁଟରେ ୩.୨, ପାରାଦୀପରେ ୧.୯, ପୁରୀରେ ୧.୫, ଗୋ‌ପାଳପୁରରେ ୦.୬ ମିମି ବର୍ଷା ହୋଇଛି।

Comments are closed.