ମୁହାଁମୁହିଁ ହେଲେ ଆମେରିକା-ଇରାନ, ଭାରତରେ ବଢିଲା ତୈଳ ଦର
ନୂଆଦିଲ୍ଲୀ: ଆମେରିକା- ଇରାନ ମୁହାଁମୁହିଁ ବିଶ୍ଵର ତୈଳ ବଜାରକୁ ପ୍ରଭାବିତ କରିଛି।ଭାରତରେ ଏହାର ଅଧିକ ପ୍ରଭାବ ଦେଖିବାକୁ ମିଳିଛି। ନୂଆବର୍ଷ ଦିନ ତୈଳଦର ସ୍ଥିର ଥିବାବେଳେ ଗୁରୁବାର ଏବଂ ଶୁକ୍ରବାର ତୈଳଦର ବୃଦ୍ଧି ପାଇଛି। ଆମେରିକା ଶୁକ୍ରବାର ଇରାକ୍ର ବାଗଦାଦସ୍ଥିତ ଏକ ବିମାନବନ୍ଦରରେ ଡ୍ରୋନ ଆକ୍ରମଣ କରି ଇରାନ୍ ସେନାର କମାଣ୍ଡର କାସିମ ସୁଲୋମାନିଙ୍କୁ ହତ୍ୟା କରିବା ପରେ ସ୍ଥିତି ଆଗକୁ ଆହୁରି ଜଟିଳ ହେବା ଆଶଙ୍କା କରାଯାଉଛି। ଆମେରିକାର ଆକ୍ରମଣ ପରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ୪.୪% ବୃଦ୍ଧି ଘଟିଛି। ଏହି କାରଣରୁ ବିତରଣ କମ୍ପାନୀଗୁଡ଼ିକ ଉପରେ ଚାପ ବଢ଼ିଛି। ବର୍ତ୍ତମାନ ଅଶୋଧିତ ତୈଳ ଦର ୬୯.୧୬ ଆମେରିକୀୟ ଡଲାରରେ ପହଞ୍ଚିଛି। ଭାରତ ଆରବ ଦେଶଗୁଡ଼ିକ ସହିତ ଇରାନଠାରୁ ଅଶୋଧିତ ତୈଳ ଆମଦାନୀ କରୁଥିବାରୁ ଭାରତୀୟ ବଜାରରେ ଏହାର ପ୍ରଭାବ ଦେଖିବାକୁ ମିଳିଛି।
ଦେଶର ପ୍ରମୁଖ ୪ଟି ମହାନଗରରେ ତୈଳ ଦର ବୃଦ୍ଧି ପାଇଛି। ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୧୦ ପଇସା ବୃଦ୍ଧି ପାଇଥିବାବେଳେ ଚେନ୍ନାଇରେ ୮ ପଇସା ବଢ଼ିଛି। ଚେନ୍ନାଇ ଏବଂ ଦିଲ୍ଲୀର ବିଭିନ୍ନ ସ୍ଥାନରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୭୫ ଟଙ୍କା ୩୫ ପଇସାରୁ ଆରମ୍ଭ କରି ୮୦ ଟଙ୍କା ୯୪ ପଇସା ମଧ୍ୟରେ ରହିଛି। ସେହିପରି ଦିଲ୍ଲୀରେ ଡିଜେଲ ଲିଟର ପିଛା ୧୪ ପଇସା, କଲକାତାରେ ୧୨ ପଇସା, ମୁମ୍ବଇରେ ୧୩ ପଇସା ଏବଂ ଚେନ୍ନାଇରେ ୧୪ ପଇସା ବୃଦ୍ଧି ପାଇଛି।
Comments are closed.