ସୁରଙ୍କ ପଲଟିକାଲ ଉତ୍ତରାଧିକାରୀ: ବଡ଼ପୁଅଙ୍କ ଅଭିପ୍ସା, ପୁତୁରାକୁ ଦେଇଥିବା ଆଶ୍ବସନା ଆଗରେ ଭାରି ପଡ଼ିଲେ ସାନପୁଅ

ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ ଆଜି ତାଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ସେ ନେଇ ଘୋଷଣା କରିଛନ୍ତି। ଆଜିର ସମୟରେ କଂଗ୍ରେସର ତୁଣ୍ଡ ସୁର ରାଉତରାୟ ରାଜନୈତିକ ଉତ୍ତରାଧିକାରୀକୁ ନେଇ ଦେଇଛନ୍ତି ବଡ଼ ବୟାନ।
ସୁର ରାଉତରାୟ ଗଣମାଧ୍ୟମରେ କହିଛନ୍ତି ଯେ, ବଡ଼ ପୁଅ ସିଦ୍ଧାର୍ଥ ଦୂରରେ ରହୁଛି। କିନ୍ତୁ ସାନ ପୁଅ ମନ୍ମଥ ପାଖରେ ରହିବା ସହ ଜଟଣୀବାସୀଙ୍କ ଭଲ ମନ୍ଦ ବୁଝୁଛି। ଏୟାର ଇଣ୍ଡିଆରେ ପାଇଲଟ ଥିବା ମନ୍ମଥ ୨୦ ଦିନ ବିମାନ ଉଡ଼ାଉଥିବାବେଳେ ବାକି ୧୦ ଦିନ ଲୋକଙ୍କ କଥା ବୁଝୁଛି। ଭୁବନେଶ୍ୱର ଓ ଜଟଣୀରେ ରହି ସେ ଲୋକଙ୍କ ବୁଝୁଛି। ମନ୍ମଥ ମୋ ଠାରୁ ଅଧିକ ଲୋକଙ୍କ କଥା ବୁଝିବ। ବଡ଼ପୁଅ ସିଦ୍ଧାର୍ଥ ଦୂରରେ ଥିବାବେଳେ ମନ୍ମଥ ଏଇଠି ଅଛି। ପୂର୍ବରୁ ସେ ରାଜନୀତି କଥା ବୁଝିଛି। ତେଣୁ ମନ୍ମଥ ରାଜନୀତି କରିବ ବୋଲି ସୁର ରାଉତରାୟ ଆଜି କହିଛନ୍ତି।
ନିକଟରେ ସୁରଙ୍କ ବଡ଼ ପୁଅ ସିଦ୍ଧାର୍ଥ ରାଉତରାୟଙ୍କୁ କଂଗ୍ରେସ ଭବନରେ ଦେଖିବାକୁ ମିଳିଥିଲା। ନିଜର ପରିବାର ସହ ସିଦ୍ଧାର୍ଥ କଂଗ୍ରେସ ଭବନ ଯାଇଥିଲେ। ଗଣମାଧ୍ୟମକୁ ନିଜର ରାଜନୈତିକ ଅଭିପ୍ସା ସମ୍ପର୍କରେ ସଙ୍କେତ ମଧ୍ୟ ଦେଇଥିଲେ। ଫଳରେ ସୁରଙ୍କ ବଡ଼ ପୁଅ ରାଜନୀତି ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଜୋର ଧରିଥିଲା। ହେଲେ ସୁରଙ୍କ ବୟାନ ପରେ ସୁରଙ୍କ ଘରେ ରାଜନୀତି ନୂଆ ମୋଡ଼ ନେଇଛି। ପୂର୍ବରୁ ସୁରଙ୍କ ପୁତୁରା ଜଟଣୀ ରାଜନୀତିରେ ନିଜର କାୟା ବିସ୍ତାର କରିଥିବାବେଳେ ଏବେ ଦୁଇ ପୁଅ ମଧ୍ୟ ରାଜନୀତି କରିବାକୁୁ ଆଗ୍ରହ ପ୍ରକାଶ କରିଛନ୍ତି।
ସୂଚନାଥାଉକି, ସୁରଙ୍କ ପୁତୁରା ସଂଗ୍ରାମ କେଶରୀ ରାଉତରାୟ ଜଟଣୀ ରାଜନୀତିରେ ବେଶ ସକ୍ରିୟ ରହିଛନ୍ତି। ଏମିତିକି ନିଜ ଦମରେ ସେ ଏକଦା ଜଟଣୀ ପୌରପରିଷଦକୁ କବଜାରେ ରଖିଥିଲେ। ସୁରଙ୍କ ସହ ତାଙ୍କର ବେଶ କିଛିଦିନ ବିବାଦ ଲାଗିଥିଲେ ବି ନିର୍ବାଚନ ବେଳେ ତୁଟି ଯାଇଥିବା କୁହାଯାଇଥିଲା। ଏମିତିକି ସୁର ତାଙ୍କ ପୁତୁରାଙ୍କୁ ରାଜନୀତିକ ଭବିଷ୍ୟତ ନେଇ ଆଶ୍ୱାସନା ଦେଇଥିଲେ।
Comments are closed.