ଆଜି ପବିତ୍ର ଶାମ୍ବ ଦଶମୀ, ଚନ୍ଦ୍ରଭାଗାରେ ଶ୍ରଦ୍ଧାଳୁଙ୍କୁ ଭିଡ଼

ଭୁବନେଶ୍ବର: ଆଜି ହେଉଛି ପବିତ୍ର ଶାମ୍ବ ଦଶମୀ। ଶାମ୍ବ ଦଶମୀ ପୌଷ ଶୁକ୍ଳ ଦଶମୀ ଦିନ ପାଳନ କରାଯାଏ। ଶାମ୍ବ ଦଶମୀ ହେଉଛି ସୂର୍ଯ୍ୟ ପୂଜାର ପର୍ବ, ଯେପରି କୁମାର ପୂର୍ଣ୍ଣମୀ ଚନ୍ଦ୍ରପୂଜା ପର୍ବ। ବର୍ଷର ବାରମାସଯାକ ବିଭିନ୍ନ ପର୍ବପର୍ବାଣି ପାଳିତ ହେଉଥିଲେ ମଧ୍ୟ ମୁଖ୍ୟତଃ ଶ୍ରାବଣ ଅମାବାସ୍ୟା ଚିତାଲାଗିଠାରୁ ପୌଷ ଶୁକ୍ଳ ଦଶମୀ ଶାମ୍ବଦଶମୀ ମଧ୍ୟରେ ଅଧିକାଂଶ ପର୍ବ ପାଳିତ ହୋଇଥାଏ।
ଶାମ୍ବ ଦଶମୀକୁ ଚାନ୍ଦ୍ରମାନ ବର୍ଷର ଶେଷ ପର୍ବ କହିବାର ତାତ୍ପର୍ଯ୍ୟ ହେଉଛି ଏହାପରେ ଚିତାଲାଗି ଅମାବାସ୍ୟା ପର୍ଯ୍ୟନ୍ତ ପ୍ରାୟ ଛଅମାସ ପର୍ଯ୍ୟନ୍ତ ଆଉ ଏତେ ପିଠାପଣାର ପର୍ବ ପଡ଼େ ନାହିଁ। କୃଷିପ୍ରଧାନ ଓଡ଼ିଶା ରାଜ୍ୟରେ ଏ ସମୟରେ ପନିପରିବାରେ ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ଥାଏ। ବିଭିନ୍ନ ପନିପରିବାରେ ଏ ପର୍ବରେ ଯେଉଁ ତରକାରୀ ପ୍ରସ୍ତୁତ ହୁଏ, ତାକୁ ଘଡ଼ଘଡ଼ା ତିଅଣ କୁହାଯାଏ। ଏହି ପର୍ବର ମୁଖ୍ୟ ହେଉଛି ଏହି ଘାଣ୍ଟ ତରକାରୀ ଘଡ଼ାଘଡ଼ା ତିଅଣ।
ଆଜିର ଦିନରେ ଘରେ ଘରେ ସୂର୍ଯ୍ୟ ପୂଜା ହେଉଛି। ଏଥିସହ ସୂର୍ଯ୍ୟ ପୂଜା ପାଇଁ ଚନ୍ଦ୍ରଭାଗାରେ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଭିଡ଼ ଲାଗିଛି। ଏହି ଅବସରରେ ସ୍ଥାନୀୟ ଅନନ୍ତ ଅବଧୂତ ମଠ ଠାରୁ ଚନ୍ଦ୍ରଭଗା ପର୍ଯ୍ୟନ୍ତ ସୂର୍ଯ୍ୟ ରଥ ଯାତ୍ରା ଆୟୋଜନ କରାଯାଇଛି। ଏହି ରଥକୁ ୨୭ ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରଖାଯାଇ ପୂଜାର୍ଚ୍ଚନା କରାଯିବ। ଆଉ ମାଘ ସପ୍ତମୀରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ। ଏଥିସହ କୋଣାର୍କ ସୁରକ୍ଷା ସମିତି ପକ୍ଷରୁ ସୌର ମହାଯଜ୍ଞର ମଧ୍ୟ ଆୟୋଜନ କରାଯାଇଛି। ତେବେ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଆଜି ସୂର୍ଯ୍ୟ ମନ୍ଦିର ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି।
Comments are closed.