ରାଜ୍ୟର କ୍ରୀଡା ଜଗତରେ ସୁଦୃଢ ମୂଳଦୁଆ ପକାଇବ ଖେଲୋ ଇଣ୍ଡିଆ: ଧର୍ମେନ୍ଦ୍ର
ଭୁବନେଶ୍ବର: ଆଗାମୀ ଦିନରେ ଓଡିଶାରେ ହେବାକୁ ଥିବା ସର୍ବଭାରତୀୟ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା ପ୍ରତିଯୋଗିତା ରାଜ୍ୟର କ୍ରୀଡା କ୍ଷେତ୍ରରେ ସୁଦୃଢ ମୂଳଦୁଆ ପକାଇବ ବୋଲି ସୋମବାର ଭୁବନେଶ୍ୱର ପୂବତଟ ରେଳବାଇ ଅଡିଟୋରିୟମ ଠାରେ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡା -୨୦୨୦ ଲୋଗୋ ଏବଂ ଜର୍ସି ଉନ୍ମୋଚନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟରେ କେବଳ ହକି ନୁହେଁ, ଆଥଲେଟିକ୍ସରେ ମଧ୍ୟ ବହୁତ ଭଲ ଭଲ ଖେଳାଳି ଅଲମ୍ପିକ ଯାଇ ସଫଳତା ଲାଭ କରିଛନ୍ତି । ଗତ ଅଲମ୍ପିକରେ ଦାରିଦ୍ର୍ୟ ପୃଷ୍ଠଭୂମିରୁ ଆସି ମଧ୍ୟ ଧାବିକା ଦୂତି ଚାନ୍ଦ, ଆଥଲେଟ୍ ଶ୍ରାବଣୀ ନନ୍ଦ ବିଶେଷ ଭାବରେ ଓଡିଆ ଘରର ଝିଅମାନେ ନାଁ କରିପାରିଛନ୍ତି । ତେଣୁ ଏହି ଦୃଷ୍ଟିକୋଣରୁ ରାଜ୍ୟ ସରକାର, ଭାରତ ସରକାର ତଥା ବିଭିନ୍ନ ଅନୁଷ୍ଠାନମାନଙ୍କ ପୃଷ୍ଠପୋଷକତାରେ ରାଜ୍ୟ ଖେଳ ଜଗତରେ ଥିବା ଅବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରାଯିବାର ଆବଶ୍ୟକତା ରହିଛି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଖେଲୋ ଇଣ୍ଡିଆ ନୂଆ କଳ୍ପନା । ଭାରତବର୍ଷରେ ଲୁକ୍କାୟିତ ପ୍ରତିଭାକୁ ଖୋଜି ସାମ୍ନାକୁ ଆଣିବାର ପ୍ରୟାସ ହେଉଛି ଖେଲୋ ଇଣ୍ଡିଆ । ଓଡିଶା ଧୀରେଧୀରେ ଖେଳର ରାଜଧାନୀ ହେବା ପାଇଁ ଯାଉଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପୃଷ୍ଠପୋଷକତା ଧୀରେଧୀରେ ବୃଦ୍ଧି ପାଇଥିବାରୁ ଆଗାମୀ ଦିନରେ ଖେଳ ନୂଆ ଉଚ୍ଚତାକୁ ଯିବ ବୋଲି ସେ କହିଛନ୍ତି । ସେହିପରି ରାଜ୍ୟର ଗାଁ, ପଂଚାୟତ, ବ୍ଲକ ଓ ଜିଲ୍ଲା ସ୍ତରରେ ଅନେକ ସ୍ପେଷ୍ଟ୍ସ କ୍ଲବ ଏବଂ ଯୁବ ସଂଗଠନ ଅଛି । ଏହି ସମସ୍ତଙ୍କୁ ଯୋଡିବାର ମାଧ୍ୟମ ଖେଲୋ ଇଣ୍ଡିଆ ବୋଲି ସେ ପରିପ୍ରକାଶ କରିଛନ୍ତି ।
ଆଗାମୀ ଦିନରେ କ୍ରୀଡା କ୍ଷେତ୍ରରେ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସମେତ ସମସ୍ତଙ୍କ ସହଯୋଗ ରହିବା ଦରକାର । ଓଡିଶାର ଅଧିକରୁ ଅଧିକ ପିଲାମାନେ ଖେଳ ମାଧ୍ୟମରେ ଅନ୍ତର୍ଜାତୀୟ ସ୍ତରରେ ନାଁ କରିପାରିବାର ସକ୍ଷମ ରଖୁଛନ୍ତି । ତେଣୁ ଏହାକୁ ପ୍ରତ୍ସାହିତ କରିବା ସମସ୍ତଙ୍କ ଦାୟିତ୍ୱ । ଖେଲୋ ଇଣ୍ଡିଆ ଦ୍ୱାରା ଓଡିଶାର ପିଲାମାନେ ଲାଭ ପାଇବେ ବୋଲି ସେ କହିଛନ୍ତି ।
Comments are closed.