ଦିଲ୍ଲୀ ବିଧାନସଭା ନିର୍ବାଚନ: ବାଜିଲା ବିଗୁଲ, ଫେବୃଆରୀ ୮ରେ ହେବ ଭୋଟ
ନୂଆଦିଲ୍ଲୀ: ଆଜି ନିର୍ବାଚନ ଆୟୋଗ ନିର୍ବାଚନ ଭବନରେ ଦିଲ୍ଲୀ ବିଧାନସଭା ନିମନ୍ତେ ତାରିଖ ଘୋଷଣା କରିଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଆରୋରା ଦିଲ୍ଲୀ ବିଧାନସଭା ପାଇଁ ତାରିଖ ଘୋଷଣା କରିଛନ୍ତି। ୨୦୨୦ ଦିଲ୍ଲୀ ବିଧାନସଭା ନିର୍ବାଚନ ଫେବୃଆରୀ ୮ରେ ଅନୁଷ୍ଠିତ ହେବ। ମୋଟ ଗୋଟାଏ ପର୍ଯ୍ୟାୟରେ ନିର୍ବାଚନ ହେବ। ଫେବୃଆରୀ ୧୧ ତାରିଖରେ ଭୋଟ ଗଣତି ହେବ।
ଜାନୁଆରୀ ୧୪ରୁ ବିଜ୍ଞପ୍ତି ଜାରି ହେବ । ଜାନୁଆରୀ ୨୧ ତାରିଖ ସୁଦ୍ଧା ପ୍ରାର୍ଥୀ ମାନେ ନାମାଙ୍କନ ଭରିବେ । ସମୁଦାୟ ୧କୋଟି ୪୬ଲକ୍ଷ ଲୋକ ଭୋଟର ମତଦାନ କରିବେ । ଦିଲ୍ଲୀରେ ୨୬୮୯ ଜାଗାରେ ଭୋଟିଂ ହେବା ସାଙ୍ଗକୁ ୧୩,୭୫୦ ପୁଲିଂ ବୁଥରେ ଭୋଟିଂ ହେବ । ଏହି ନିର୍ବାଚନ ପରିଚାଳନା ପାଇଁ ୯୦ହଜାର କର୍ମଚାରୀ ନିୟୋଜିତ ହେବେ । ନିର୍ବାଚନ ତାରିଖ ଘୋଷଣା ସହିତ ନିର୍ବାଚନର ଆଚରଣ ବିଧି ମଧ୍ୟ ଆଜିଠାରୁ ଲାଗୁ ହୋଇଛି ।
ସୂଚନାଥାଉକି, ଦିଲ୍ଲୀରେ ମୋଟ ୭୦ଟି ବିଧାନସଭା ଆସନ ରହିଛି। ଏହି ସମସ୍ତ ୭୦ଟି ଆସନରେ ନିର୍ବାଚନ ହେବ। ଚଳିତ ଦିଲ୍ଲୀ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୨୨ରେ ସମାପ୍ତ ହେବାକୁ ଯାଉଛି। ୨୦୧୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜ୍ରରିଓ୍ବାଲଙ୍କ ଆମ୍ ଆଦମୀ ପାର୍ଟୀ ୭୦ଟି ଆସନରୁ ୬୭ରେ ବିଜୟ ଲାଭ କରିଥିଲା।
Comments are closed.