ଉତ୍କଳ ବିଶ୍ବବିଦ୍ୟାଳୟର ସମସ୍ତ ପରୀକ୍ଷା ଘୁଞ୍ଚିଲା
ଭୁବନେଶ୍ବର : ଭାରତ ବନ୍ଦ ଡାକରା ଯୋଗୁଁ ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଶିକ୍ଷା ବିଭାଗ ପକ୍ଷରୁ ନୋଟିସ୍ ଜାରି କରାଯାଇଛି । ଟ୍ରେଡ୍ ୟୁନିଅନ ପକ୍ଷରୁ ଆସନ୍ତାକାଲି ଭାରତବନ୍ଦ ଡାକରା ଦିଆଯାଇଛି ।
ବୁଧବାର ୨୪ ଘଣ୍ଟିଆ ଭାରତ ବନ୍ଦ ଡାକରା ହେତୁ ଉତ୍କଳ ବିଶ୍ବବିଦ୍ୟାଳୟ ତାର ସମସ୍ତ ପରୀକ୍ଷା ଘୁଞ୍ଚାଇ ଦେଇଛି । ଏ ନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ଭାରତ ବନ୍ଦକୁ ଆଖିରେ ରଖି ଜାନୁଆରି ୮ରେ ହେବାକୁ ଥିବା ସମସ୍ତ ପରୀକ୍ଷା ବାତିଲ୍ ହୋଇଛି।
ତେବେ, ବାତିଲ୍ ହୋଇଥିବା ପରୀକ୍ଷା ପୁଣି କେଉଁ ତାରିଖରେ ହେବ ସେ ସଂପର୍କରେ ପରେ ତାରିଖ ଘୋଷଣା କରାଯିବ। ୧୨ ଦଫା ଦାବି ନେଇ ଧର୍ମଘଟ ଡାକରା ଦେଇଛି କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ଓ ସ୍ବାଧୀନ ଫେଡରେସନ ମିଳିତ ମଞ୍ଚ । ସରକାରଙ୍କ ‘ଦମନକାରୀ ନୀତି’ ଦେଶର ଆର୍ଥିକ ସଙ୍କଟ, ଦରଦାମ ବୃଦ୍ଧି ଏବଂ ବେକାରୀ ସମସ୍ୟାକୁ ନେଇ ବନ୍ଦ ପାଳନ କରାଯିବ। ଶାନ୍ତିପୂର୍ଣ୍ଣ ବନ୍ଦ ପାଳନରେ ରାଜ୍ୟ ସରକାରଙ୍କ ସହଯୋଗ ଲୋଡିଛି ମଞ୍ଚ ।
ଏଆଇଟିୟୁସି ଓଡ଼ିଶା ଶାଖାର ସାଧାରଣ ସମ୍ପାଦକ ସୌରୀବନ୍ଧୁ କର କହିଛନ୍ତି, ୮ ତାରିଖ ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ। ଗାଡ଼ି ଚଳାଚଳ ବନ୍ଦ ଯୋଗୁଁ ଛାତ୍ରଛାତ୍ରୀମାନଙ୍କୁ ସ୍କୁଲ, କଲେଜ ଯିବା ପାଇଁ ଅସୁବିଧା ହେବ। ଏଥିପାଇଁ ସେହିଦିନଟିକୁ ଛୁଟି ଘୋଷଣା କରିବାକୁ ରାଜ୍ୟ ସରକାରଙ୍କୁ କେନ୍ଦ୍ରୀୟ ଶ୍ରମିକ ସଂଗଠନମାନେ ଅନୁରୋଧ କରିଛନ୍ତି।
Comments are closed.