Odisha Link
Bridging the Missing Links in Odisha

ଗୋଟିଏ ରାତିରେ ୪ଟି ମନ୍ଦିରରୁ ଲୁଟିନେଲେ ଦୁର୍ବୃତ୍ତ

ବାଲେଶ୍ୱର: ଜିଲ୍ଲାର ଖଇରା ଥାନା ଅନ୍ତର୍ଗତ ଡଗରପଡ଼ା ପଞ୍ଚାୟତରେ ଗୋଟିଏ ରାତିରେ ୪ଟି ମନ୍ଦିରରୁ ଦୁର୍ବୃତ୍ତମାନେ କଳାକନା ବୁଲାଇଛନ୍ତି। ସ୍ଥାନୀୟ ବଉଳାଶୁଣି ମନ୍ଦିର, ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର ଓ ମାଉସୀମା ମନ୍ଦିରରୁ ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ମନ୍ଦିରରୁ ଗତ ବିଳମ୍ବିତ ରାତିରେ ଲୁଟେରାମାନେ ଠାକୁରଙ୍କ ୫ଟି ରୁପା ମୁକୁଟ, ୧୦ଟି ସୁନା କଲରା, ଗୋଟିଏ ମଙ୍ଗଳସୂତ୍ର, ୪ଟି ରୁପାବଳା, ୩ଟି ବଂଶୀ, ୨ଟି ରୁପାଚିତା ସମେତ ଦାନବାକ୍ସ ଲୁଟି ନେଇଛନ୍ତି। ଏହାଛଡ଼ା ସ୍ଥାନୀୟ ପ୍ରକାଶ ସାମଲ ଓ ଜୟୀରାମ ସିଂଙ୍କ ୨ଟି ସାଇକଲ ଲୁଟ୍ ନେଇଯାଇଥିବା ସେମାନେ ଅଭିଯୋଗ କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ଖଇରା ଥାନା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମିଳିଥିବା ସୂଚନା ଅନୁସାରେ ଗତବର୍ଷ ଏହି ଅଞ୍ଚଳରୁ ଏକାଧିକ ମନ୍ଦିରରୁ ଦିଅଁଙ୍କ ସୁନାଗହଣା ଓ ମନ୍ଦିର ହୁଣ୍ଡି ଲୁଟ ହୋଇଥିଲା। ସେହିପରି କିଛିମାସ ତଳେ ବାଲେଶ୍ୱର ସହର ଶୋଭରାମପୁର ଅଂଚଳରେ ଏକା ସାଙ୍ଗରେ ୪ଟି ମନ୍ଦିରରୁ ଲୁଟପାଟ ହୋଇ ବହୁ ମୂଲ୍ୟବାନ ଅଳଙ୍କାର ସବୁ ନେଇଯାଇଥିଲେ। ହେଲେ ପୁଲିସ ଆଜି ପର୍ଯ୍ୟନ୍ତ ସମ୍ପୃକ୍ତ ଲୁଟେରାଙ୍କ ପତ୍ତା ପାଇପାରିନାହିଁ । ତେବେ ବାଲେଶ୍ୱର ଜିଲ୍ଲାରେ ଲୁଟେରାଙ୍କ ଟାର୍ଗେଟରେ ମନ୍ଦିରଗୁଡ଼ିକ ରହିଥିବା ବେଳେ ସେଗୁଡ଼ିକର ସୁରକ୍ଷା ନିହାତି ଜରୁରୀ ହୋଇପଡ଼ିଛି।

Comments are closed.