ନିର୍ଭୟା: ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇବେ ଏହି ବ୍ୟକ୍ତି

ମୀରଟ: ଆସନ୍ତା ୨୨ରେ ଫାଶୀ ପାଇବେ ବହୁ ଚର୍ଚ୍ଚିତ ନିର୍ଭୟା ଗଣବଳାତ୍କାର ଏବଂ ହତ୍ୟା ମାମଲାର ୪ ଦୋଷୀ। ଦୋଷୀମାନଙ୍କୁ ଫାଶୀ ଦେବା ଲାଗି ପଟିୟାଲା ହାଉସ କୋର୍ଟ ଡେଥ୍ ୱାରେଣ୍ଟ ଜାରି କରିଛନ୍ତି। ତିହାର ଜେଲ୍ରେ ଦୋଷୀମାନଙ୍କୁ ଫାଶୀ ଦିଆଯିବ। ଏଥିପାଇଁ ଜେଲ୍ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ତେବେ ଦୋଷୀମାନଙ୍କୁ ଯେଉଁ ଘାତକ ଫାଶୀ ଖୁଣ୍ଟରେ ଝୁଲାଇବେ ସେ ଏହାକୁ ନେଇ ବେଶ୍ ଉତ୍ସୁକ ରହିଛନ୍ତି। ଏହି ବ୍ୟକ୍ତି ବା ଘାତକ ଜଣକ ହେଉଛନ୍ତି ଉତ୍ତର ପ୍ରଦେଶର ପବନ କୁମାର। ତିହାର ଜେଲ୍ କର୍ତ୍ତୃପକ୍ଷ ଉତ୍ତର ପ୍ରଦେଶ ଜେଲ୍ ବିଭାଗ ମନ୍ତ୍ରୀଙ୍କୁ ଚିଠି ଲେଖି ପବନଙ୍କ ଘାତକ ସେବା ନେବା ଲାଗି ଅନୁମତି ମାଗିଥିଲେ। ମନ୍ତ୍ରୀ ଏନେଇ ସବୁଜ ସଙ୍କେତ ଦେଇଛନ୍ତି।
ମନ୍ତ୍ରୀ ଜୟ କୁମାର ସିଂହ କହିଛନ୍ତି ଯେ, ନିର୍ଭୟା ବଳାତ୍କାର ମାମଲାର ଦୋଷୀମାନଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲ୍ କର୍ତ୍ତୃପକ୍ଷ ମୀରଟ ଜେଲ୍ର ଘାତକ ପବନ କୁମାରଙ୍କଠାରୁ ସେବା ଲୋଡ଼ିଥିଲେ। ପବନକୁ ତିହାର ଜେଲ ପଠାଇବା ଲାଗି ମୀରଟ ଜେଲ ପ୍ରଶାସନକୁ ଅନୁମତି ଦିଆଯାଇଛି। ଦୋଷୀମାନଙ୍କୁ ଫାଶୀ ଦେବା ଲାଗି ପବନ ବି ବେଶ୍ ଖୁସି ଥିବା ପ୍ରକାଶ କରିଛନ୍ତି।
କୋର୍ଟଙ୍କ ନିର୍ଦେଶ ଅନୁସାରେ, ଜାନୁୟାରୀ ୨୨ ତାରିଖ ସକାଳ ୭ଟାରେ ନିର୍ଭୟା ଦୋଷୀମାନଙ୍କୁ ତିହାର ଜେଲରେ ଫାଶୀଖୁଣ୍ଟରେ ଝୁଲାଯିବ। କୋର୍ଟଙ୍କ ନିର୍ଦେଶ ପରେ ଜେଲ୍ର ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଅନ୍ୟପଟେ ଦୋଷୀମାନଙ୍କ ଓକିଲମାନେ କହିଛନ୍ତି ଯେ, ସେ କ୍ୟୁରେଟିଭ ପିଟିଶନ ଏବଂ ରାଷ୍ଟ୍ରପତିଙ୍କଠାରୁ ରାଜକ୍ଷମା ଆବେଦନ କରିବେ।
Comments are closed.