ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ହେବ ଶୁଣାଣି

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ପ୍ରଧାନବିଚାରପତି ଏସ୍. ଏ. ବୋବଡେ, ବିଚାରପତି ବି. ଆର ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ। ଦିନକ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗତ ନଭେମ୍ବର ୪ରେ ଶ୍ରୀମନ୍ଦିର ସଂସ୍କାରକୁ ନେଇ ଜାରି କରାଯାଇଥିବା ଅନ୍ତରୀଣ ନିର୍ଦ୍ଦେଶନାମାର ଶହେ ପୃଷ୍ଠା ସମ୍ବଳିତ କାଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିଛନ୍ତି। ମହାପ୍ରଭୁଙ୍କର ଦ୍ବାର ଖୋଲା ନୀତିର ଅବରୋଧକୁ ନେଇ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଥିଲେ। ଏଥିରେ କୁହାଯାଇଛି, ମହାପ୍ରଭୁଙ୍କର ଦ୍ବାର ଖୋଲା ନୀତି ଅବରୋଧ ଘଟଣାର ୨୦୧୮ ଡିସେମ୍ବର ୨୮ରେ ତଦନ୍ତ କରାଯାଇଥିଲା।
ତଦନ୍ତ ସରିବା ପରେ ଯେଉଁମାନେ ଦୋଷୀ ସେମାନଙ୍କ ବିରୋଧରେ ଜଗନ୍ନାଥ ମନ୍ଦିର ଆଇନ ୧୯୫୪ର ସେକ୍ସନ ୨୧ (କ) ଅନୁଯାୟୀ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏତଦବ୍ୟତୀତ ରିପୋର୍ଟରେ ସେବାପୂଜାରେ ଶୃଙ୍ଖଳା ପାଇଁ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଯାଇଛି। ସର୍ବୋଚ୍ଚ ନ୍ୟାୟାଳୟ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ଠାକୁରଙ୍କ ନୀତିକୁ ନେଇ ଉଦବେଗ ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ କୁହାଯାଇଛି, ଶ୍ରୀମନ୍ଦିର ପରିଚାଳନା କମିଟି ପାଖରେ ମହାପ୍ରଭୁଙ୍କର ଦୈନନ୍ଦିନ ରୀତିନୀତି ଓ ପର୍ବାପର୍ବାଣୀ ପରିଚାଳନା ଦାୟିତ୍ବ ରହିଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମନ୍ଦିର ପରିଚାଳନା କମିଟି ବୈଠକରେ ସେବାପୂଜା ତଥା ପର୍ବାପର୍ବାଣୀ ପାଳନ ସମ୍ପର୍କରେ ସମୀକ୍ଷା ହୋଇଥାଏ। ରୀତିନୀତିର ତଦାରଖ ପାଇଁ ସବ୍ କମିଟି ଗଠନ କରାଯାଇଛି। ରଥ ଉପରେ ଭକ୍ତମାନଙ୍କର ଚଢ଼ିବା ସମ୍ପର୍କରେ ଜଗଦଗୁରୁ ଶଙ୍କରାଚାର୍ୟ୍ୟଙ୍କ ମତାମତକୁ ଲୋଡ଼ାଯାଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି।
Comments are closed.