ଆମେରିକା ଶାନ୍ତି ଚାହେଁ : ଟ୍ରମ୍ପ

ୱାଶିଂଟନ୍ : ଆମେରିକା ଓ ଇରାନ ମଧ୍ୟରେ ତିକ୍ତତା ଯୁଦ୍ଧର ରୂପ ନେବାକୁ ଯାଇଥିବା ବେଳେ ଟ୍ରମ୍ପଙ୍କ ମନ୍ତବ୍ୟ ଯୁଦ୍ଧ ଆଶଙ୍କାକୁ ଟାଳି ଦେଇଛି। ସଂଯମତା ଦେଖାଇଛନ୍ତି ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ । ଇରାନ ପକ୍ଷରୁ ଇରାକରେ ଥିବା ଆମେରିକାର ଏୟାରବେସ ଉପରେ କ୍ଷେପଣାସ୍ତ୍ର ମାଡ ପରେ ଟ୍ରମ୍ପ କହିଛନ୍ତି ଆମେରିକା ପାଖରେ ଅନେକ କ୍ଷମତାଶାଳୀ କ୍ଷେପଣାସ୍ତ୍ର ଅଛି କିନ୍ତୁ ଆମେରିକା ଶାନ୍ତି ଚାହେଁ। ଆମେ ଏବେ କ୍ଷେପଣାସ୍ତ୍ର ବ୍ୟବହାର କରିବୁ ନାହିଁ। ଇରାକରେ ଥିବା ଏୟାର ବେସ ଉପରେ ଇରାନ କରିଥିବା କ୍ଷେପଣାସ୍ତ୍ର ମାଡ଼ରେ କୌଣସି ଆମେରିକୀୟ ସେନାର ମୃତ୍ୟୁ ଘଟି ନାହିଁ। ମୁଁ ରାଷ୍ଟ୍ରପତି ଥିବା ପର୍ଯ୍ୟନ୍ତ ଇରାନକୁ ପରମାଣୁ ଅସ୍ତ୍ର ରଖିବାକୁ ଦିଆଯିବ ନାହିଁ। ଇରାନ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି ଯାହା ସାରା ବିଶ୍ୱ ପାଇଁ ଏକ ଭଲ ବାର୍ତ୍ତା। ଆମେରିକା ସେନା ସବୁ ସମୟରେ ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛି କିନ୍ତୁ ସେ ସମୟ ଏବେ ଆସିନାହିଁ ତଥାପି ଆମେରିକା ସୁରକ୍ଷା ମୂଳକ ପଦକ୍ଷେପ ନେଇଛି।
ଟ୍ରମ୍ପ ଆହୁରି କହିଛନ୍ତି, ମୃତ ସୁଲେମାନି ଆମେରିକା ଉପରେ ଆକ୍ରମଣ କରିବାକୁ ଯୋଜନା କରୁଥିଲା ତେଣୁ ଆମେ ତାର କାର୍ଯ୍ୟକଳାପ ବନ୍ଦ କଲୁ। ସମସ୍ତ ରାଷ୍ଟ୍ର ଏଭଳି ସମୟରେ ମିଳିମିଶି କାର୍ଯ୍ୟ କରିବା ଆବଶ୍ୟକ ଯାହା ଫଳରେ ଇରାନ ପକ୍ଷରୁ କାହା ପ୍ରତି ଭୟ ରହିବ ନାହିଁ ଓ ସାରା ବିଶ୍ୱ ଏକ ନିରାପଦ ସ୍ଥାନ ହୋଇପାରିବ। ଆମେ ଏବେ ତୈଳ ଓ ପ୍ରାକୃତିକ ଗ୍ୟାସ ଉତ୍ପାଦନରେ ବିଶ୍ୱରେ ୧ ନମ୍ବର, ଆମେ ସ୍ୱାଧୀନ ଓ ଆମକୁ ସେମାନଙ୍କଠାରୁ ତୈଳ ଆବଶ୍ୟକ ନାହିଁ। ଏଥିସହ ଟ୍ରମ୍ପ ଆମେରିକା ସେନାକୁ ସାଲ୍ୟୁଟ କରିଥିଲେ ଏବଂ କହିଥିଲେ ୧୯୭୯ ଠାରୁ ଆଜି ଯାଏଁ ଇରାନ ମଧ୍ୟ ପୂର୍ବ ଦେଶଗୁଡିକରେ ଧ୍ଵଂସ ଲୀଳା ସୃଷ୍ଟି କରିଛି ଓ ସାରା ବିଶ୍ୱରେ ଅସ୍ଥିରତାର ବାତାବରଣ ସୃଷ୍ଟି କରିଛି। କିନ୍ତୁ ସେ ସମୟ ଶେଷ ହୋଇଛି। ଇରାନ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଛି ଓ ସଭ୍ୟ ସମାଜ ପାଇଁ ଭୟ ସୃଷ୍ଟି କରୁଛି।
Comments are closed.