Odisha Link
Bridging the Missing Links in Odisha

ଜେଏନ୍‌ୟୁ ପରେ ଉତ୍କଳ ବିଶ୍ବବିଦ୍ୟାଳୟ ପାଳି

ଭୁବନେଶ୍ବର : ଜବାହରଲାଲ୍‌ ନେହରୁ ବିଶ୍ବବିଦ୍ୟାଳୟ(ଜେଏନ୍‌ୟୁ) ଘଟଣାକୁ ନେଇ ସାରା ଦେଶରେ ଛାତ୍ର ଆନ୍ଦୋଳନ ଲାଗି ରହିଥିବା ବେଳେ ଏବେ ଉତ୍କଳ ବିଶ୍ବବିଦ୍ୟାଳୟର ପାଳି ପଡିଛି। ଜେଏନ୍‌ୟୁ କୁଳପତିଙ୍କ ବହିଷ୍କାର ପାଇଁ ଛାତ୍ରଛାତ୍ରୀ ଦାବି କରୁଥିବା ବେଳେ ଉତ୍କଳ ବିଶ୍ବବିଦ୍ୟାଳୟରେ ମୁହାଁମୁହିଁ ହୋଇଛନ୍ତି କୁଳପତି ଓ ଛାତ୍ରଛାତ୍ରୀ। ଦୁର୍ନୀତିକୁ ଘଣ୍ଟ ଘୋଡ଼ାଉଥିବାରୁ କୁଳପତି ପ୍ରଫେସର ସୌମେନ୍ଦ୍ରମୋହନ ପଟ୍ଟନାୟକଙ୍କ ବହିଷ୍କାର ଦାବିରେ ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ।

ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ହେଉଥିବା ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତି ହେଉଥିବା ନେଇ ଦୁଇ ଦିନ ତଳୁ ଛାତ୍ରଛାତ୍ରୀମାନେ ଅଭିଯୋଗ କରି କୁଳପତିଙ୍କୁ ଘେରାଉ କରିବା ସହ ରୁସା ସଂଯୋଜକ ଡ. ହିମାଂଶୁ ରାଉତଙ୍କୁ ତୁରନ୍ତ ହଟାଇବା ପାଇଁ ଦାବି କରିଥିବା ବେଳେ ସେ ସମୟରେ କୁଳପତି ପ୍ରଫେସର ପଟ୍ଟନାୟକ ପ୍ରତିଶ୍ରୁତି ଦେଇଥିଲେ ଯେ ଦୁଇ ଦିନ ଭିତରେ ଶ୍ରୀ ରାଉତଙ୍କୁ ପଦରୁ ହଟାଯିବ। କିନ୍ତୁ କୌଣସି ପଦକ୍ଷେପ ନିଆଯାଇ ନ ଥିବାରୁ ଶ୍ରୀ ରାଉତଙ୍କୁ ହଟାଇବା ଦାବିରେ ଶତାଧିକ ଛାତ୍ରଛାତ୍ରୀ କୁଳପତି ପ୍ରଫେସର ପଟ୍ଟନାୟକଙ୍କୁ ଘେରାଉ କରି କଣ ପଦକ୍ଷେପ ନିଆଯାଇଛି ବିଷୟରେ ଜାଣିବାକୁ ଚାହିଁଥିଲେ। ତେବେ କୁଳପତି ପ୍ରଫେସର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉତ୍ତର ଦେଇ ନ ପାରି କାର୍ଯ୍ୟାଳୟରେ ଚାଲିଥିବା ରୁଦ୍ଧଦ୍ବାର ବୈଠକ ଛାଡ଼ି ନିଜ କାର୍ଯ୍ୟାଳୟକୁ ଦୌଡ଼ି ପଳାଇ ଯାଇଥି‌ଲେ। ଏଥିସହ ଶ୍ରୀ ରାଉତଙ୍କୁ ହଟାଇବା ସମ୍ପର୍କରେ ପଚାରିବାରୁ କୁଳପତି ଉତ୍‌କ୍ଷିପ୍ତ ‌ହୋଇ ଗାଳିଗୁଲଜ କରି ଧମକ ଦେଇଥିଲେ। ପୂର୍ବରୁ ମଧ୍ୟ କୁଳପତି ପ୍ରଫେସର ପଟ୍ଟନାୟକ ଛାତ୍ରଛାତ୍ରୀଙ୍କୁ ତିନି ଥର ଧମକ ଦେଇଛନ୍ତି। କ୍ୟାମ୍ପସରେ କୋଟି କୋଟି ଟଙ୍କାର କାମ ଚାଲିଥିବାରୁ ଅଧିକାରୀମା‌ନେ ମିଳିମିଶି ହରିଲୁଟ୍‌ କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

Comments are closed.