ଆଜି ଶେଷ ଟି-୨୦: ସିରିଜ ଜିିତିବା ଲକ୍ଷ୍ୟରେ ବିରାଟ ବାହିନୀ

ପୁଣେ: ଆଜି ପୁଣେରେ ମୁହାମୁହିଁ ହେବେ ଭାରତ-ଶ୍ରୀଲଙ୍କା। ଉଭୟ ଦଳ ତୃତୀୟ ତଥା ଅନ୍ତିମ ଟି-୨୦ ଖେଳିବେ। ପୁନେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ ଠାରେ ସନ୍ଧ୍ୟା ୭ଟାରେ ଖେଳାଯିବ ଏହି ହାଇଭୋଲଟେଜ୍ ମ୍ୟାଚ୍। ୩ଟିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ପ୍ରଥମ ମ୍ୟାଚ୍ ବର୍ଷା ପାଇଁ ବାତିଲ ହୋଇଯାଇଥିବା ବେଳେ ଦ୍ୱିତୀୟ ମ୍ୟାଚରେ ରୋମାଞ୍ଚକର ବିଜୟ ହାସଲ କରିଥିଲା ବିରାଟ ବାହିନୀ। ୧-୦ରେ ଆଗୁଆ ଥିବା ଟିମ ଇଣ୍ଡିଆ କାଲିର ମ୍ୟାଚ ଜିତି ସିରିଜ୍ କ୍ଲିନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିବ।
ଅନ୍ୟପକ୍ଷରେ ଶ୍ରୀଲଙ୍କା ଟିମକୁ ଭାରତ ବିପକ୍ଷରେ ମ୍ୟାଚ୍ ଜିତିବାକୁ ହେଲେ, ଅନେକ କ୍ଷେତ୍ରରେ ସୁଧାର ଆଣିବାକୁ ପଡିବ। ଭ୍ରମଣକାରୀ ଟିମ୍ ଭଲ ଆରମ୍ଭ କରିଥିଲେ ହେଁ, ଏହାକୁ ଶେଷ ପର୍ଯ୍ୟନ୍ତ କାଏମ ରଖିପାରିନଥିଲେ। ଅଲରାଉଣ୍ଡର ଇସୁରୁ ଉଦାନାଙ୍କ ଆହତ ଶ୍ରୀଲଙ୍କା ପାଇଁ ବଡ଼ ଝଟକା। ଆହତ କାରଣରୁ ଉଦାନା ଇନ୍ଦୋରରେ ବୋଲିଂ କରିପାରିନଥିଲେ। ତାଙ୍କ ସ୍ଥାନରେ ଅଭିଜ୍ଞ ଅଲରାଉଣ୍ଡର ଆଞ୍ଜେଲୋ ମାଥ୍ୟୁସଙ୍କୁ ସୁଯୋଗ ମିଳିପାରେ, ଯିଏ ୧୬ମାସ ପରେ ଟି-୨୦ ଦଳକୁ କମବ୍ୟାକ୍ କରିଛନ୍ତି। ଦ୍ୱିତୀୟ ମ୍ୟାଚରେ ୱାନିନ୍ଦୁ ହସରଙ୍ଗାଙ୍କୁ ଛାଡ଼ିଦେଲେ ଭ୍ରମଣକାରୀ ଦଳର ଅନ୍ୟ କୌଣସି ବୋଲର ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ଉପରେ ପ୍ରଭାବ ପକାଇପାରି ନଥିଲେ। ତେଣୁ ଭାରତ ଭଳି ଶକ୍ତିଶାଳୀ ଦଳକୁ ହରାଇବାକୁ ହେଲେ ଶ୍ରୀଲଙ୍କାକୁ ବୋଲିଂରେ ସୁଧାର ଆଣିବାକୁ ପଡ଼ିବ।
ବେଞ୍ଚ ଷ୍ଟ୍ରେନ୍ଥକୁ ମିଳିପାରେ ସୁଯୋଗ:
ଆଜି ଖେଳାଯିବା ମ୍ୟାଚରେ ଭାରତ ତା’ର ବେଞ୍ଚ ଷ୍ଟ୍ରେନ୍ଥକୁ ସୁଯୋଗ ଦେଇପାରେ। ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେଙ୍କୁ ଆସନ୍ତାକାଲି ସୁଯୋଗ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଇନ୍ଦୋରରେ ଅନଭିଜ୍ଞ ଶ୍ରୀଲଙ୍କା ଟିମ୍ ଭାରତକୁ କୌଣସି ବିଭାଗରେ ଟକ୍କର ଦେଇନଥିଲା ଏବଂ ଏହାକୁ ଦୃଷ୍ଟିରେ ରଖି ପାଣ୍ଡେ ଓ ସାମସନଙ୍କୁ ଟିମରେ ସାମିଲ୍ କରାଯାଇପାରେ।
ପାଣ୍ଡେ ଚଳିତ ସିରିଜ୍ ସମେତ ଗତ ତିନି ସିରିଜରେ ମାତ୍ର ଗୋଟିଏ ମ୍ୟାଚରେ ସୁଯୋଗ ପାଇଛନ୍ତି। ଅନ୍ୟପକ୍ଷରେ ନଭେମ୍ବରରେ ବାଂଲାଦେଶ ବିପକ୍ଷ ସିରିଜରେ ପ୍ରତ୍ୟାବର୍ତ୍ତନ କରିଥିବା ସାମସନଙ୍କୁ ଏପର୍ଯ୍ୟନ୍ତ ଗୋଟିଏ ବି ମ୍ୟାଚ୍ ଖେଳିବାର ସୁଯୋଗ ମିଳିନାହିଁ। ଅକ୍ଟୋବର-ନଭେମ୍ବରରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଭାରତ ନିୟମିତ ଭାବେ ଟିମ୍ ସଂଯୋଜନରେ ପ୍ରୟୋଗ କରିଆସୁଛି, କିନ୍ତୁ ଏହି ଦୁଇ ଖେଳାଳିଙ୍କର ଏପର୍ଯ୍ୟନ୍ତ ପରୀକ୍ଷା କରାଯାଇନାହିଁ।
Comments are closed.