Odisha Link
Bridging the Missing Links in Odisha

କନୌଜ ସଡକ ଦୁର୍ଘଟଣାରେ ମୋଦୀଙ୍କ ଶୋକ ପ୍ରକାଶ

ନୂଆଦିଲ୍ଲୀ : ଗତକାଲି ଉତ୍ତର ପ୍ରଦେଶର କନୌଜରେ ହୋଇଥିବା ସଡକ ଦୁର୍ଘଟଣାରେ ୨୦ ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୨୫ ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଟୁଇଟ୍‍ କରି କହିଛନ୍ତି, ଉତ୍ତର ପ୍ରଦେଶର କନୌଜରେ ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଗଭୀର ଦୁଃଖ ଆଣି ଦେଇଛି। ଏଥିରେ ଅନେକ ଲୋକଙ୍କ ଜୀବନ ଚାଲି ଯାଇଛି। ମୁଁ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଉଛି। ଆହତମାନେ ଶୀଘ୍ର ଭଲ ହୋଇଯିବାକୁ କାମନା କରୁଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇଛନ୍ତି। ସରକାରଙ୍କ ତରଫରୁ ଆହତଙ୍କ ଚିକିତ୍ସା ପାଇଁ ୫୦ ହଜାର ଟଙ୍କା ଓ ମୃତକଙ୍କ ପରିବାର ଲୋକଙ୍କୁ ୨ ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଛନ୍ତି।

ସୂଚନା ଯୋଗ୍ୟ, ଉତ୍ତର ପ୍ରଦେଶର କନୌଜରେ ଶୁକ୍ରବାର ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିଲା। ଦିଲ୍ଲୀ-କାନପୁର ଜେଟି ରୋଡ଼ରେ ଗୁରସହାୟଗଞ୍ଜରୁ ଜୟପୁର ଯାଉଥିବା ଏକ ଡ଼ବଲ ଡ଼େକର ବସ ଓ ଟ୍ରକ ମୁହାଁମୁହିଁ ଧକ୍କା ହୋଇ ବସଟି ସମ୍ପୂର୍ଣ୍ଣ ଜଳି ଯାଇଥିଲା। ବସରେ ଥିବା ପ୍ରାୟ ୪୦ରୁ ଅଧିକ ଯାତ୍ରୀ ଥିବା ବେଳେ ୨୦ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହାସହ ୨୫ ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ଅଗ୍ନିଶ୍ରମ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

Comments are closed.