ନିର୍ଭୟା ମାମଲାରେ ଘୁଞ୍ଚିପାରେ ଦୋଷୀଙ୍କ ଫାଶୀ, ଜାଣନ୍ତୁ କାହିଁକି ?
ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଦୋଷୀଙ୍କୁ ଜାରି ହୋଇଛି ଡେଥ୍ ୱାରେଣ୍ଟ। ପାଟିଆଲା ହାଉସ୍ କୋର୍ଟ ଗତ ୭ ତାରିଖରେ ଦୋଷୀଙ୍କୁ ଜାନୁୟାରୀ ୨୨ ତାରିଖରେ ଦଣ୍ଡିତ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଆଇନଗତ ପ୍ରକ୍ରିୟା ଯୋଗୁଁ ଚୟନ ହୋଇଥିବା ଫାଶି ତାରିଖରେ ହୁଏତ ଦୋଷୀଙ୍କୁ ଫାଶି ନ ମିଳିପାରେ। ଫାଶୀଦଣ୍ଡ ଘୁଞ୍ଚାଇବା ନିମନ୍ତେ ଅପରାଧୀ ଅନେକ ଉପାୟର ଉପଯୋଗ କରିବେ ବୋଲି ଆଶଙ୍କା କରାଯାଉଛି। ଦଣ୍ଡ ଘୁଞ୍ଚାଇବା ପାଇଁ ଅପରାଧୀଙ୍କ ହାତରେ ୨ଟି ବିକଳ୍ପ ରହିଛି। କ୍ୟୁରେଟିଭ ପିଟିସନ ଦାଖଲ କରିବା ନଚେତ ରାଷ୍ଟ୍ରପତିଙ୍କୁ କ୍ଷମା ନିବେଦନ କରିବା। କ୍ୟୁରେଟିଭ ପିଟିସନ ଦାୟର ହେଲେ ମାମଲାର ପୁନର୍ବିଚାର ଲାଗି କିଛି ସମୟ ଲାଗିବ ଓ ସେପର୍ଯ୍ୟନ୍ତ ସେମାନଙ୍କ ଦଣ୍ଡ ପାଳନ ହୋଇପାରିବ ନାହିଁ। ସେହିପରି କୋର୍ଟ ଯଦି ସେମାନଙ୍କ ପିଟିସନ ଅଗ୍ରାହ୍ୟ କରନ୍ତି ତେବେ ସେମାନେ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ନିବେଦନ କରିପାରିବେ। ଏହା ଏକ ବିଳମ୍ବିତ ପ୍ରକ୍ରିୟା ହୋଇଥିବା ବେଳେ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ମିଳିବା ପରେ ହିଁ ଦଣ୍ଡ ପ୍ରସ୍ତୁତି କରାଯିବ।
ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଜଣ ଦୋଷୀଙ୍କ ମଧ୍ୟରୁ ୨ ଜଣ ମୁକେଶ ଓ ବିନୟ ସେମାନଙ୍କ ଓକିଲଙ୍କ ଜରିଆରେ କୋର୍ଟଙ୍କୁ କ୍ୟୁରେଟିଭ ପିଟିସନ ଦାଖଲ କରିସାରିଛନ୍ତି। ଆସନ୍ତା ୧୪ ତାରିଖରେ ଏହାର ଶୁଣାଣି ହେବ। ଅନ୍ୟପଟେ ଦୋଷୀ ବିନୟ ରାଷ୍ଟ୍ରପତିଙ୍କୁ ଏକାକୀ ରାଜକ୍ଷମା ନିବେଦନ କରିଛି। ମାମଲାର ଅନ୍ୟ ୨ ଜଣ ଅଭିଯୁକ୍ତ ଏହି ପ୍ରସଙ୍ଗରେ ନିରବ ଅଛନ୍ତି। ହେଲେ ଯାହା ଦଣ୍ଡ ମିଳିବ ତାହା ୪ ଜଣ ଏକାଠି ଭୋଗ କରିବେ ଏହା ନିଶ୍ଚିତ।
Comments are closed.