ପିଲାମାନଙ୍କୁ ପରୀକ୍ଷାରୁ ଚାପମୁକ୍ତ କରିବା ହିଁ ଆମର ଦାୟିତ୍ୱ

ଭୁବନେଶ୍ୱର : ପୂର୍ବାହ୍ନରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ପ୍ରସ୍ତାବ ଅନୁସାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଦ୍ୱାରା ରାଜ୍ୟସ୍ତରୀୟ ପରୀକ୍ଷା ପର୍ବର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ପରୀକ୍ଷା ପର୍ବର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ କରି କହିଲେ ଯେ, ସଂପ୍ରତି ପିଲାମାନଙ୍କୁ ସେମାନଙ୍କ ପରୀକ୍ଷାରୁ ଚାପମୁକ୍ତ କରିବାକୁ ହେଲେ ପିତାମାତାମାନଙ୍କର ଏଥି ପ୍ରତି ଗୁରୁତ୍ୱ ପୂର୍ଣ୍ଣ ଦାୟିତ୍ୱ ରହିଛି ।
ଆଜି ଆମେ କେବଳ ସାର୍ଟିଫିକେଟ୍ ଓ ମାର୍କ ପଛରେ ଧାଇଁଛୁ । ଏହି ବାବଦରେ ଆମେ ସଚେତନ ହେଲେ ପିଲାମାନେ ଚାପମୁକ୍ତ ହୋଇ ପାରିବେ ଏବଂ ପରୀକ୍ଷାକୁ ଆନନ୍ଦର ସହିତ ପରୀକ୍ଷା ପର୍ବ ଭାବରେ ଗ୍ରହଣ କରିବେ । ମୋର ଆଶା, ପିଲାମାନଙ୍କୁ ସୁରକ୍ଷା ଦେବା ଏବଂ ଚାପମୁକ୍ତ କରିବା ପାଇଁ ଆମର ଦାୟିତ୍ୱ ଓ କର୍ତ୍ତବ୍ୟ ସଂପର୍କରେ ଉପସ୍ଥିତ ଥିବା ସଂପୃକ୍ତ କର୍ମକର୍ତ୍ତା ଓ ପଦାଧିକାରୀମାନଙ୍କୁ ମନ୍ତ୍ରୀ ଦାଶ ପରାମର୍ଶ ଦେଇଥିଲେ ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରି ପିଲାମାନେ ପରୀକ୍ଷା ସମୟରେ ଧୈର୍ଯ୍ୟ ଏବଂ ସଞ୍ଜମତା ରକ୍ଷା କରିବା ସଂପର୍କରେ ପରାମର୍ଶ ଦେଇଥିଲେ । ଏହି କର୍ମଶାଳାରେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଆଦର୍ଶ ବିଦ୍ୟାଳୟର ସଂଯୋଜକ ଡ. ବିଜୟ କୁମାର ସାହୁ, ମନୋବିଜ୍ଞାନୀ ପ୍ରାଧ୍ୟା ପକ ଡ. ଉଦୟନାଥ ଦାଶ, ସାମାଜିକ ବିଜ୍ଞାନ ଶିକ୍ଷା ବିଭାଗ ପ୍ରଫେସର ପ୍ରୀତୀଶ ଆଚାର୍ଯ୍ୟ, ୟୁନିସେଫ୍ ଓଡ଼ିଶାର ଶିକ୍ଷା ବିଶେଷଜ୍ଞ ଲଳିତା ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଅନ୍ୟମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ଡ. ରାମଚନ୍ଦ୍ର ରାଉତଙ୍କ ସମେତ ଜିଲ୍ଲା ଶିକ୍ଷା ଅଧିକାରୀ, ଜିଲ୍ଲା ସଂଯୋଜକ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ପ୍ରଶିକ୍ଷଣ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।
Comments are closed.