ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖରଙ୍କୁ ମିଳିଲା ଜାମିନ, କୋର୍ଟ ଦେଲେ ଏହି ସର୍ତ୍ତ

ନୂଆଦିଲ୍ଲୀ: ଆଜି ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ଦିଲ୍ଲୀର ତିସ ହଜାରୀ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିବାଦୀୟ ନାଗରିକତା ଆଇନ(ସିଏଏ) ବିରୋଧରେ ବିକ୍ଷୋଭ କରି ଗିରଫ ହୋଇଥିଲେ ଚନ୍ଦ୍ରଶେଖର ଆଜାଦ।
ଆଡସିନାଲ ସେସନ୍ସ ଜଜ୍ କାମିନି ଲାଉ ୨୫ ହଜାର ବେଲ ବଣ୍ଡ ବଦଳରେ ଆଜାଦଙ୍କୁ ଜାମିନ ଦେଇଛନ୍ତି। ଡିସେମ୍ବର ୨୦ରେ ଆଜାଦ ଜାମା ମସଜିଦରେ ଉତ୍ତେଜନା ପୂର୍ଣ୍ଣ ଭାଷଣ ଦେଉଥିବା ଅଭିଯୋଗରେ ଗିରଫ ହୋଇଥିଲେ। ହେଲେ ଏନେଇ ପୁଲିସ କୌଣସି ପ୍ରମାଣ ଉପସ୍ଥାପନ କରିପାରି ନଥିଲା। କୋର୍ଟଙ୍କ ସର୍ତ୍ତ ଅନୁଯାୟୀ, ଆଜାଦ ଆସନ୍ତା ୪ ସପ୍ତାହ ଯାଏ କୌଣସି ବିକ୍ଷୋଭ ବା ଆନ୍ଦୋଳନ କରିପାରିବେ ନାହିଁ।
ଏଥିସହ ଆଜାଦ ଶାହୀନ ବାଗ ବିକ୍ଷୋଭ ସ୍ଥଳକୁ ଯାଇ ପାରିବେ ନାହିଁ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଆଜି କୋର୍ଟ ଜାମିନ ଦେଇଥିବାରୁ ଆସନ୍ତାକାଲି ଆଜାଦ ଜେଲରୁ ମୁକୁଳିବେ। ଜେଲରୁ ମୁକୁଳିବା ପରେ ଆଜାଦଙ୍କୁ ପୁଲିସ୍ ଏସ୍କର୍ଟ କରି ତାଙ୍କ ଶାହରନପୁର ଘରକୁ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯଦି ଶାହରନପୁର ଯିବା ପୂର୍ବରୁ ଆଜାଦ ୨୪ ଘଣ୍ଟା ମଧ୍ୟରେ ଜାମା ମସଜିଦ କିମ୍ବା ଅନ୍ୟ କେଉଁ ସ୍ଥାନକୁ ଯିବାକୁ ଚାହାନ୍ତି, ତା’ହେଲେ ପୁଲିସ୍ ତାଙ୍କ ପାଇଁ ସବୁ ପ୍ରକାରର ବ୍ୟବସ୍ଥା କରିବ।
Comments are closed.