୨୨ରେ ଫାଶୀ ପାଇବେନି ନିର୍ଭୟା ଦୋଷୀ !
ନୂଆଦିଲ୍ଲୀ: ନିର୍ଭୟା ଦୁଷ୍କର୍ମ ମାମଲାରେ ଦୋଷୀଙ୍କୁ ଜାନୁୟାରୀ ୨୨ରେ ଫାଶୀ ଦିଆଯାଇ ନ ପାରେ। ଦିଲ୍ଲୀ ହାଇକୋର୍ଟଙ୍କୁ ଦିଲ୍ଲୀ ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ଦୋଷୀ ରାଜକ୍ଷମା ଆବେଦନ କରିଥିବାରୁ ଏହା ଉପରେ ନିଷ୍ପତ୍ତି ନ ଆସିବା ପର୍ଯ୍ୟନ୍ତ ଫାଶୀ ଦିଆଯାଇପାରିବନାହିଁ। ରାଷ୍ଟ୍ରପତି କ୍ଷମା ଆବେଦନ ଉପରେ ନିଷ୍ପତ୍ତି ଗ୍ରହଣ କରିବା ପରେ ଦୋଷୀଙ୍କୁ ୧୪ ଦିନର ସମୟ ଦେବାକୁ ହେବ ବୋଲି କୋର୍ଟ କହିଛନ୍ତି। ତେବେ ଦିଲ୍ଲୀ ସରକାରଙ୍କ ଓକିଲ ଆଜି ସ୍ପଷ୍ଟ କରିଛନ୍ତି ଯେ ଜାନୁୟାରୀ ୨୨ ତାରିଖରେ ଫାଶୀ ଦିଆଯାଇ ପାରିବ ନାହିଁ। ଦୋଷୀ ମୁକେଶ ପକ୍ଷରୁ ଡେଥ ୱାରେଣ୍ଟକୁ ନେଇ କୁହାଯାଇଥିଲା ଯେ ରାଜକ୍ଷମା ଆବେଦନ ରାଷ୍ଟ୍ରପତିଙ୍କ ପାଖରେ ଥିବାରୁ ଡେଥ ୱାରେଣ୍ଟକୁ ରଦ୍ଦ କରାଯାଉ।
ସୂଚନା ଅନୁସାରେ ୨୦୧୨ ମସିହା ଦିଲ୍ଲୀରେ ଘଟିଥିବା ଲୋମଟାଙ୍କୁରା ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କୁ ମଧ୍ୟରୁ ୨ ଜଣ ଦୋଷୀ ବିନୟ କୁମାର ଶର୍ମା ଏବଂ ମୁକେଶ ସିଂହର କ୍ୟୁରେଟିଭ୍ ପିଟିସନ୍କୁ ମଙ୍ଗଳବାର ସୁପ୍ରିମ କୋର୍ଟ ଖାରଜ କରିଦେଇଥିଲେ।
ସେପଟେ ସୁପ୍ରିମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ଦୋଷୀ ମୁକେଶ ସିଂହ ଗତକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରେ ରାଜକ୍ଷମା ପାଇଁ ଆବେଦନ କରିଛି। ନିର୍ଭୟା ମାମଲାରେ ୪ ଦୋଷୀଙ୍କ ବିରୋଧରେ ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଗତ ୭ ତାରିଖରେ ମୃତ୍ୟୁ ପରୱାନା ଜାରି କରିଥିଲେ। ସମସ୍ତ ଦୋଷୀଙ୍କୁ ଜାନୁଆରି ୨୨ ସକାଳ ୭ଟା ବେଳେ ତିହାର ଜେଲ୍ରେ ଫାଶୀ ଦିଆଯିବ ବୋଲି ଡେଥ ୱାରେଣ୍ଟରେ କୁହାଯାଇଥିଲା।
Comments are closed.