Odisha Link
Bridging the Missing Links in Odisha

ବିଦା ହେଲେ ଡିଏସ୍‌ପି ଦବିନ୍ଦର ସିଂହ

ନୂଆଦିଲ୍ଲୀ: ଚାକିରିରୁ ବହିଷ୍କୃତ ହେଲେ ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ। ହିଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀଙ୍କ ସହ ଜମ୍ମୁ-କଶ୍ମୀର ଡିଏସ୍‌ପି ଦବିନ୍ଦର ସିଂହ ଶନିବାର ଗିରଫ ହେବା ପରେ ତାଙ୍କୁ ଚାକିରିରୁ ନିଲମ୍ବିତ କରାଯାଇଥିଲା ହେଲେ ଆଜି ଶେଷରେ ବହିଷ୍କୃତ କରାଯାଇଛି।।

ଏ ସମ୍ପର୍କରେ ଜମ୍ମୁ-କଶ୍ମୀର ଡିଜିପି ଦିଲବାଗ ସିଂହ ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଆତଙ୍କବାଦୀଙ୍କ ସହ ଲିଙ୍କ ଥିବା ଜଣାପଡ଼ିବା ପରେ ତାଙ୍କୁ ବହିଷ୍କୃତ କରାଯାଇଛି। ଘଟଣାର ତଦନ୍ତ ଏନଆଇଏ କରୁଛି। ଆମେ ମଧ୍ୟ ତାଙ୍କୁ ଜେରା କରିଥିଲୁ। ହେଲେ ଏ ବିଷୟରେ ଏବେ କିଛି ସାର୍ବଜନୀନ କରାଯିବ ନାହିଁ। ସେ କୌଣସି ପ୍ରକାରର ରାଷ୍ଟ୍ରପତି ପଦକ ପାଇ ନଥିଲେ। କେବଳ ସାହାସିକତା ପୁରସ୍କାର ମିଳିଥିଲା। ଏହାକୁ ପ୍ରତ୍ୟାହାର କରିବାକୁ ବ୍ୟବସ୍ଥା କରାଯାଉଛି।”

ଅନ୍ୟପକ୍ଷରେ ଜେରା ବେଳେ ଦବିନ୍ଦର ଓ ଆତଙ୍କବାଦୀଙ୍କ ମଧ୍ୟରେ ଥିବା ଏକାଧିକ ଲିଙ୍କ ସାମ୍ନାକୁ ଆସିଛି। ସେ ପ୍ରଥମଥର ନୁହେଁ ବରଂ ବହୁ ଥର ପୂର୍ବରୁ ମଧ୍ୟ ଆତଙ୍କବାଦୀଙ୍କୁ ସହଯୋଗ କରିଥିବା ଜଣାପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଶ୍ରୀନଗର ଅଭିମୁଖେ ଦ୍ରୁତ ଗତିରେ ବଢିଚାଲିଥିଲା ଦବିନ୍ଦରଙ୍କ ଆଇ୍-ଟେନ୍ ଗାଡି । ଏବଂ ଗୁଇନ୍ଦା ସୂଚନା ଅନୁଯାୟୀ ଏହି ଗାଡିର ପିଛା କରୁଥିଲେ ପୋଲିସ ଡିଆଇଜି ଅତୁଲ ଗୋୟଲ। ଏହି ଗାଡିରେ ଡିଏସପି ଦବିନ୍ଦରଙ୍କ ସହ ଥିଲା ହିଜବୁଲ ମୁଜାହିଦ୍ଦିନର ନମ୍ବର ଟୁ କୁହାଯାଉଥିବା ନଭିଦ ବାବୁ ଓ ରଫି। ଏବଂ ମିଳିଥିବା ସୂଚନା ଅନୁସାରେ ଏମାନଙ୍କୁ ଖସାଇ ଦେବା ପାଇଁ ୧୨ଲକ୍ଷ ଟଙ୍କାର ଡିଲ୍ କରିଥିଲେ ଦବିନ୍ଦର ସିଂ। ତେବେ ଜବାହାର ଟନେଲ ପୂର୍ବରୁ ଏମାନଙ୍କୁ ଗିରଫ କରାଯାଇଥିଲା।

Comments are closed.