କୁହୁଡ଼ି ପାଇଁ ମଝି ଚିଲିକାରେ ଫସିଲା ଡଙ୍ଗା
![](https://www.odishalink.com/wp-content/uploads/2020/01/chilika.jpg)
କୃଷ୍ଣପ୍ରସାଦ: କୁହୁଡ଼ି ଯୋଗୁଁ ଚିଲିକାରେ ପ୍ରାୟ ୩ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଏକ ଯାତ୍ରୀବାହୀ ଡଙ୍ଗା ଫସି ରହିଲା । ଡଙ୍ଗାଟି ସାତପଡ଼ାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବାବେଳେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟ ଜାଣି ନ ପାରିବାରୁ ଡଙ୍ଗାଟି ଚିଲିକା ମଝିରେ ଫସି ଯାଇଥିଲା। କୁହୁଡ଼ି ଛାଡ଼ିବା ପରେ ଡଙ୍ଗାଟି ଗନ୍ତବ୍ୟସ୍ଥଳ ଅଭିମୁଖେ ବାହାରି ଜହ୍ନିକୁଦରେ ପହଞ୍ଚିଥିବା ଜଣାଯାଇଛି। ଏହି ଡଙ୍ଗାରେ ୩୦ଜଣ ଯାତ୍ରୀ ଓ ୧୦ଟି ବାଇକ୍ ଥିବା ସୂଚନା ମିଳିଛି। ତେବେ ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି। ତେବେ ଉଦ୍ଧାର କାର୍ଯ୍ୟ ନିମନ୍ତେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଯାତ୍ରୀଙ୍କ ମଧ୍ୟରେ ଅସନ୍ତାଷ ଦେଖାଦେଇଛି।
ସୂଚନା ଅନୁଯାୟୀ, ଡଙ୍ଗାଟି ଆଜି ସକାଳ ୭ଟା୧୫ରେ ସାତପଡ଼ା ଛାଡ଼ିଥିଲା। ୫ କି.ମି ଅତିକ୍ରମ କରି ଜହ୍ନିକୁଦରେ ପହଞ୍ଚିବାକୁ ଡଙ୍ଗାକୁ ପ୍ରାୟ ୪୫ ମିନିଟ୍ ସମୟ ଲାଗିଥାଏ। ମାତ୍ର ଆଜି ୧ କି.ମି ଯିବା ପରେ ଘନ କୁହୁଡ଼ି ଯୋଗୁ ନାଉରିଆ ବାଟବଣା ହୋଇ ଯାଇଥିଲେ। ଫଳରେ ମହିଷା ବ୍ରହ୍ନପୁର ନିକଟସ୍ଥ ଏକ ଗାଁ ପାଖାପାଖି ଡଙ୍ଗାଟି ଫସି ଯାଇଥିଲା। ସେଠାରେ ନାଉରିଆମାନେ ଡଙ୍ଗାଟିକୁ ଅଟକାଇ ରଖିଥିଲେ। ଏହାପରେ କୁହୁଡ଼ି ଛାଡ଼ିବା ପରେ ଦିନ ପ୍ରାୟ ୯ଟା ପରେ ଡଙ୍ଗାଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ବାହାରିଥିଲେ। ଆଉ ୧୦ଟା ବେଳକୁ ଜହ୍ନିକୁଦରେ ଡଙ୍ଗାଟି ଲାଗିଥିଲା।
ଡଙ୍ଗାଟି ଦୀର୍ଘ ସମୟ ମଝି ଚିଲିକାରେ ଫସି ରହିଥିଲେ ମଧ୍ୟ ଏ ସମ୍ପର୍କରେ ପ୍ରଶାସନ ନିକଟରେ କୌଣସି ଖବର ନ ଥିଲା। ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ଚିଲିକାରୁ ଅଗ୍ନିଶମ ଗାଡ଼ି ଜହ୍ନିକୁଦରେ ପହଞ୍ଚିଥିଲା। ସେତେବେଳକୁ ଡଙ୍ଗାଟି କୂଳରେ ଲାଗି ଯାଇଥିଲା। ଫଳରେ ଯାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଲା।
Comments are closed.